Odisha news

ପରମ୍ପରାରେ ଭାଗବତ ଟୁଙ୍ଗୀ

0

ବିପିନ ବିହାରୀ ରାଉତ : ମଣିଷର ଭାବକୁ ଯେ ପ୍ରକାଶିତ କରି ପ୍ରତିକ୍ଷଣରେ ସୁମାର୍ଗରେ ପରିଚାଳିତ କରିବାର ନିଦର୍ଶନ ଦିଏ ତାହା ହେଉଛି ଭାଗବତ । ଭାଗବତ ଜୀବନର ଗ୍ରନ୍ଥ । ଭାଗବତ ଚଳଣୀର ଚଳତ୍ମାନ ପ୍ରବାହ । ତାହା କେବଳ ଅନୁକରଣୀୟ ନୁହେଁ, ଅନୁସରଣୀୟ ମଧ୍ୟ । ଶ୍ରୀଜଗନ୍ନାଥ ଦାସ ଲେଖିଥିଲେ “ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ ।’ ଜୀବନକୁ ସୁମାର୍ଗରେ ପରିଚାଳିତ କରିବାରେ ଭାଗବତ ହିଁ ସାହାଯ୍ୟ କରିଥାଏ । ଏହି ଭାଗବତକୁ କୁହାଯାଏ ପରମ ଶାସ୍ତ୍ର ।

ଭାଗବତର ପ୍ରାଧାନ୍ୟତାକୁ ଉପଲବ୍ଧି କରିବା ପାଇଁ ତାହାକୁ ଜୀବନ ଗ୍ରନ୍ଥରେ ପରିଣତ କରିବା ପାଇଁ, ଆଚରଣଶୀଳ କରାଇବା ପାଇଁ ପ୍ରତି ବର୍ଷ ପାଳିତ ହୁଏ ଭାଗବତଜନ୍ମ । ଭାଗବତ ଜନ୍ମରେ ଅନେକ ଲୋକ ଆନୁଷ୍ଠାନିକ ଭାବରେ ଭାଗବତ ପାଠ ଆରମ୍ଭ କରନ୍ତି ଏବଂ ପ୍ରତିଦିନ ଏକ ଅଧ୍ୟାୟ ପାଠକରି ପୁଣି ଭାଗବତ ଜନ୍ମ ଉତ୍ସବରେ ତାହାକୁ ବଢ଼ାଇ ଥାଆନ୍ତି । ଏହି ଦିନକୁ ମଧ୍ୟ କୁହାଯାଏ ଭାଗବତ ବଢ଼ା । ଏହି ଦିନ ଭାଗବତ ବଢ଼ିଥାଏ । ଶ୍ରୀମଦ୍ଭାଗବତ ମହାପୁରାଣ ଲେଖା ହେବାର ପୃଷ୍ଠଭୂମିରେ ରହିଛି ବ୍ୟାସଦେବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଆଜି ଆମେ ବୈଜ୍ଞାନିକ ଯୁଗର ମଣିଷ । ପ୍ରତିଟି କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରିଚାଲିଛେ । ହେଲେ ଆମର ପରମ୍ପରା ଏପାଖରେ ଭୁଷୁଡ଼ି ପଡ଼ିଛି । ଭାଗବତ ଟୁଙ୍ଗୀ ଆଜି ସ୍ୱପ୍ନ ହେବାକୁ ବସିଲାଣି । ବିଲୁପ୍ତ ପ୍ରାୟ । ପ୍ରତ୍ୟେକ ସ୍ଥଳରେ ଆଧୁନିକତାର ବିଜୟ ନିଶାଣ ପ୍ରତିଧ୍ୱନିତ । ଏବେ ମିଞ୍ଜି ମିଞ୍ଜି ଦୀପ ଆଲୋକରେ ପୁରାଣ ପଣ୍ଡାଙ୍କ ଭାଗବତର ପଦ ଆଉ ଶୁଣାଯାଉନାହିଁ । ଭାଗବତ ଟୁଙ୍ଗୀ ଏବେ ପକ୍କା କୋଠା ଏବଂ ବିଜୁଳି ଆଲୋକରେ ଝଟକୁଛି । ସେଦିନର ଭାଗବତ ଗାଦୀ ଅଛି । ସଂସ୍କୃତି ଓ ପରମ୍ପରା ଏବେ ଭୂଲୁଣ୍ଠିତ । ପୂର୍ବପରି ଭାଗବତ ଟୁଙ୍ଗୀରେ ଆଉ ନ୍ୟାୟ ନିଶାପ ହେଉନାହିଁ କିମ୍ବା ଚାଷବାସ ସମ୍ବନ୍ଧରେ ଆଲୋଚନା ହେଉନାହିଁ । ଯୁଗ ବଦଳିଛି । ଆମକୁ ଇଲେକ୍ଟ୍ରୋନିକ ମିଡ଼ିଆ କିମିଅାଁ କରିଛି । ପୂର୍ବପରି ପାରିବାରିକ ସମ୍ପର୍କରେ ସ୍ନେହ ଶ୍ରଦ୍ଧା କ୍ଷୀଣ ହୋଇ ଆସିଲାଣି ।

ମଣିଷ ମଣିଷ ଭିତରେ ବିଶ୍ୱାସ ତୁଟିଗଲେ ଛିଡ଼ିଯାଏ ସମ୍ପର୍କର ସୂତାଖିଅ । ଭାଙ୍ଗିଯାଏ ସମ୍ପର୍କର ସୂତାଖିଅ । ଭାଙ୍ଗିଯାଏ ବିଶ୍ୱାସର ସେଇ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଆଉ ଗଢ଼ି ଉଠେ ଅବିଶ୍ୱାସର ଏକ କାଳିମାମୟ ଭୂତକୋଠୀ । ସେହି ବାତାବରଣରେ ମିଳେ କେବଳ ଅଶାନ୍ତି ଆଉ ଦୁଃଖ । ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅତୀତରେ ଲୋକମାନେ ଯେଉଁ ପ୍ରଥା / ପରମ୍ପରା ଅବଲମ୍ବନ କରୁଥିଲେ ଆମେ ସେ ସବୁକୁ ଲିଭାଇବାକୁ ବସିଲୁଣି । ଯେମିତି ଭାଗବତ ଟୁଙ୍ଗି । ଏହି ଭାଗବତ ଟୁଙ୍ଗି ଝାଟି ମାଟି ନଡ଼ାଛପର ଘରଟିଏ ଥିଲ ।ା ସଞ୍ଜ ନଇଁଗଲେ ଏଠି ଦୀପବତୀ ଜଳାଇ ଦିଆଯାଏ । ହେଁସ ମଶିଣା ବିଛାଇ ଦିଆଯାଏ । ଗାଁର ଲୋକମାନେ ଶୁଦ୍ଧ ଶୌଚ ଭାବରେ ଧୂଆଧୋଇ ହୋଇ ଚାଲି ଆସନ୍ତି ଏଠାକୁ । ଶଙ୍ଖ, ହୁଳହୁଳି, ହରିବୋଲ ଧ୍ୱନିରେ ମୁଖରିତ ହୁଏ ପରିବେଶ । ପୁରାଣ ପଣ୍ଡାଙ୍କ କଣ୍ଠରୁ ଭାସିଆସେ ଭାଗବତର ଅମୂଲ୍ୟ ପଙ୍କ୍ତି । ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ । ପଦୁ ଗଳୁଛି ମକରନ୍ଦ । ସେ ମକରନ୍ଦ ପାନ କରି, ହେଲେ ତରିଲେ ବ୍ରଜନାରୀ ।

କହଇ ଜଗନ୍ନାଥ ଦାସ, ମୂଳଟି ଅଟଇ ବିଶ୍ୱାସ । ଏହି ଭାଗବତର ପଦଭିତରେ ଥାଏ ଲୋକଶିକ୍ଷା, ସାମାଜିକ ଚଳଣି ଏବଂ ବିଭିନ୍ନ ନୀତି ନିୟମ । ମଣିଷ ମଣିଷ ଭିତରେ ସ୍ନେହ ସୌହାର୍ଦ୍ଦ୍ୟ ବଢ଼ାଇବା ପାଇଁ ଭାଗବତ ପଦ ବାରମ୍ବାର ସୂଚନା ଦିଏ ଯେପରି – ଯେ ପାଞ୍ଚେ ପରର ମନ୍ଦ, ତା ପାଇଁ ପାଞ୍ଚନ୍ତି ଗୋବିନ୍ଦ । ଭାଗବତ ଟୁଙ୍ଗୀ ଯେ ଗାଁ ମଝିରେ ବା ସାହି ଭିତରେ ଗୋଟିଏ ନଡ଼ା ଛପର କୁଡ଼ିଆଟିଏ ଥିଲା ତାହା ନୁହେଁ ବରଂ ଏହା ଥିଲା ଗୋଟିଏ ନ୍ୟାୟାଳୟ । ପରସ୍ପର ମଧ୍ୟରେ ଝଗଡ଼ା ଝାଟିର ସମାଧାନ ହୁଏ ଏହି ଭାଗବତ ଟୁଙ୍ଗୀରେ । ଭାଗବତ ଟୁଙ୍ଗୀରେ ପୁଣି ବନ୍ଧୁ ବନ୍ଧାଯାଏ । ସମସ୍ତ ମତାନ୍ତର ଓ ମନାନ୍ତରର ସମାଧାନ ହୁଏ ଏହି ଭାଗବତ ଟୁଙ୍ଗୀରେ । ଭାଇ ଭାଇ ଭିତରର ବିଭେଦ ଦୂରୀଭୂତ ହୁଏ ଏହିଠାରେ । ଦୀପଶିଖା ଏବଂ ଭାଗବତ ଗାଦୀକୁ ସାକ୍ଷୀ ରଖି ଭୁଲର ପୁନରାବୃତ୍ତି ନକରିବାକୁ ଶପଥ ନିଅନ୍ତି ଦୋଷୀ । ଭାଗବତ ଟୁଙ୍ଗୀ ଥିଲା ଅତୀତର ଅତିଥିଶାଳା । ଦୂର ବାଟୋଇଟିଏ ସଞ୍ଜ ହେଲେ ଏଇଠି ଆଶ୍ରୟ ନେଉଥିଲା ।

ପୁଣି ରାତି ପାହିଲେ ଫେରିଯାଉଥିଲା ଗନ୍ତବ୍ୟ ପଥରେ । ଭାଗବତ ପରେ ପରେ ଆରମ୍ଭ ହୁଏ କୀର୍ତ୍ତନ ଏବଂ ପରେ ପରେ ଜନସାଧାରଣଙ୍କର ଭଲମନ୍ଦ କଥା । ଏଠାରେ ପର ନିନ୍ଦା ପରଚର୍ଚ୍ଚା କରିବାକୁ ଦିଆଯାଉନଥିଲା । ସନ୍ଧ୍ୟାରେ କୀର୍ତ୍ତନରେ କିଛି ସମୟ ବିତାଇ ଦେଲେ ଲୋକମାନଙ୍କର ମନ ଖୁସି ହୋଇଯାଏ । ଭୁଲି ହୋଇଯାଏ ଦିନମାନର ପରିଶ୍ରମ । କେବଳ ସେତିକି ନୁହେଁ, ଭାଗବତ ଗୃହ ଥିଲା ଏକ ଶିକ୍ଷାୟତ । ନିରକ୍ଷର ଲୋକମାନେ ଏଇଠି ସାକ୍ଷର ହେଉଥିଲେ । ଦୀପ ଆଲୁଅରେ ମାଟି ସ୍ଲେଟ ଓ ଖଡ଼ି ସାହାଯ୍ୟରେ ଲେଖୁଥିଲେ ବର୍ଣ୍ଣମାଳା । ଆଉ କେତେଜଣ ନିଜର ନାଁ ଦସ୍ତଖତ ଶିଖୁଥିଲେ । ସବୁଠୁ ଭଲ କଥା ହେଲା ପୂର୍ବସନ୍ଧ୍ୟାରେ ଭାଗବତ ଗୃହରେ ପୁରାଣ ପଣ୍ଡା ଯାହା ଆଲୋଚନା କରୁଥିଲେ ସେ ସବୁ ପୁଣି ଆଲୋଚିତ ହେଉଥିଲା କର୍ମକ୍ଷେତ୍ରରେ । ଏହା ଥିଲା ଭାଗବତ ଟୁଙ୍ଗୀର ପାଠପଢ଼ା ।

ଭାଗବତ ଟୁଙ୍ଗୀ ଯେ କେବଳ ଭାଗବତ ଟୁଙ୍ଗୀ ହୋଇ ରହିଥିଲା, ତାହା ନୁହେଁ । ଏହା ଥିଲା ସାହିର ପ୍ରାଣକେନ୍ଦ୍ର । ଏବେ ସମୟ ବଦଳିଛି । ବଦଳିଛି ପ୍ରଥା ଆଉ ପରମ୍ପରା । ନୂଆ ମୋଡ଼ ନେଇଛି ଚାଲି, ଚଳଣୀ ଆଉ ଆଚାର ବ୍ୟବହାର । ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ / ପଦୁ ଗଳୁଛି ମକରନ୍ଦ ଧ୍ୱନି କ୍ରମଶଃ କ୍ଷୀଣ ପ୍ରାୟ । ଏବେ ଭାଗବତ ଟୁଙ୍ଗୀ ନାହିଁ କିମ୍ବା ନଡ଼ା ଛପର ଘର ନାହିଁ । ସେହ ଡିହ ମଧ୍ୟ ନାହିଁ । ସେ ଜାଗାରେ ଠିଆ ହୋଇଛି ରଙ୍ଗିନ କୋଠା । ଦୀପବତୀର ମିଞ୍ଜି ମିଞ୍ଜି ଆଲୋକକୁ ନିସ୍ପ୍ରଭ କରିଛି ବିଜୁଳିବତୀ । ଭାଗବତ ଟୁଙ୍ଗୀରେ ଏବେ ବିମାନରେ ପୂଜା ପାଉଛନ୍ତି ଭାଗବତ ପୋଥି ।

ଅତୀତରେ ଏସବୁ କାର୍ଯ୍ୟପ୍ରତି ରାଜା ରାଜୁଡ଼ାମାନଙ୍କର ବଦାନ୍ୟତା ଥିଲା । ଯାହାଫଳରେ ଠାକୁରଙ୍କ ପାଇଁ କେତେକ ଜମି ଖଞ୍ଜି ଦେଇଥିଲେ । ଏହି ଜମିକୁ ଯେଉଁମାନେ ଭୋଗ କରୁଥିଲେ ସେମାନେ ଠାକୁରଙ୍କ ପ୍ରସାଦ ଯୋଗାଇବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ବିନାବେତନରେ ସାହାଯ୍ୟ କରୁଥିଲେ । ଏମିତି ଅନେକ ଅନୁଷ୍ଠାନ ଚାଲୁଥିଲା ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ । ଭାଗବତ ଗୃହର ରକ୍ଷଣାବେକ୍ଷଣର ଦାୟିତ୍ୱ ନେଉଥିଲେ କେତେକ ଧନଶାଳୀ ବ୍ୟକ୍ତି । ଏବେ ରାଜନୈତିକ ଦଳଗତ କାରଣରୁ ଅନେକ ଭାଗବତ ଟୁଙ୍ଗୀ ଅବହେଳିତ ଅବସ୍ଥାରେ ପଡ଼ିଛି । କେବଳ ପରମ୍ପରା ବୁଡ଼ିଗଲା ବୋଲି ସମସ୍ତଙ୍କ କୁମ୍ଭୀର କାନ୍ଦଣା ଶୁଭୁଛି ଯାହା । ଯେ ପର୍ଯ୍ୟନ୍ତ ଆମେ ଅତୀତର ପ୍ରଥା ଓ ପରମ୍ପରାକୁ ଫେରାଇବାର ସ୍ୱପ୍ନ ନଦେଖିଛେ ସେ ପର୍ଯ୍ୟନ୍ତ ସବୁକିଛି ଆମ ପାଇଁ କୃତ୍ରିମତାରେ ଭରପୁର ହୋଇଥିବ । ଏଠି ହସରେ କୃତ୍ରିମତା, ସ୍ନେହରେ କୃତ୍ରିମତା । ସମବେଦନାରେ ମଧ୍ୟ କୃତ୍ରିମତା ଭରି ରହିଛି ।

Leave A Reply