Odisha news

ସଙ୍ଗୀତା ମୋଟର୍ସ ମ୍ୟାନେଜର ଆତ୍ମହତ୍ୟା ମାମଲା : ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, “ବିହାରୀ କ୍ରିମିନାଲ’ ସକ୍ରିୟ , ଅଭିଯୁକ୍ତକୁ ୭୨ଘଣ୍ଟା ଭିତରେ ଗିରଫ କର, ନଚେତ୍ ଏସ୍ପି ଅଫିସରେ ଧାରଣା ଦେବ କଂଗ୍ରେସ

0

ଭଦ୍ରକ,୦୩ ।୦୭:ବହୁ ଚର୍ଚ୍ଚିତ ସଙ୍ଗୀତା ମୋଟର୍ସ ମ୍ୟାନେଜରଙ୍କ ଆତ୍ମହତ୍ୟା ମାମଲା ଭଦ୍ରକ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପଯର୍‍ୟସ୍ତ ହୋଇ ପଡିଛି ତାହା ପ୍ରମାଣିତ କରିଛି । ଘଟଣା ଘଟିବାର ୩ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଶାହାଙ୍କୁ ଏଯାଏଁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ମାମଲା କେବଳ ଏକ ଆତ୍ମହତ୍ୟା ଘଟଣା ନୁହେଁ, ବରଂ ଏହା ଏକ ପ୍ରକାର ହତ୍ୟା । କାରଣ ମୃତ ମ୍ୟାନେଜର ନିଜର ସୁଇସାଇଡ ନୋଟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ତାଙ୍କର ମୃତୁ୍ୟ ପାଇଁ ମାଲିକ୍‍ ଚନ୍ଦନ ଶାହା ଦାୟୀ ଏବଂ ଚନ୍ଦନ ଶାହାଙ୍କ ନିର୍ଦ୍ଦେଶରେ ତାଙ୍କୁ ନାନା ପ୍ରକାର ଶାରୀରିକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ଏଭଳି ସଙ୍ଗୀନ ଅଭିଯୋଗ ଏବଂ ସୁଇସାଇଡ ନୋଟ୍‍ରେ ପ୍ରମାଣ ପାଇବା ପରେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ ନ କରିବା ପଛରେ ବିପୁଳ ଅର୍ଥ ଏବଂ ରାଜନୈତିକ ଚାପ ଦାୟୀ ବୋଲି ଭଦ୍ରକ କଂଗ୍ରେସ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି ।

ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତିତ୍ୱ କରି କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଭଦ୍ରକରେ ବଢି ଚାଲିଥିବା ଅପରାଧୀକରଣ ପଛରେ ବିହାରୀ କ୍ରିମିନାଲଙ୍କ ଏକ ନେଟଓ୍ୱାର୍କ କାର୍ଯ୍ୟ କରୁଛି ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପିସିସି ମିଡିଆ କମିଟି ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଥିଲେ ଯେ ଏ ଘଟଣା କେବଳ ଏକ ଆତ୍ମହତ୍ୟା ଘଟଣା ନୁହେଁ, ଏହା ପଛରେ ଭଦ୍ରକ ସହରରେ ବୃଦ୍ଧି ପାଉଥିବା ବିହାରୀ କ୍ରିମିନାଲାଇଜେସନର ପୁରା ର୍ୟାକେଟର ଚେର ଲମ୍ବିଛି । ସଙ୍ଗୀତା ମୋଟର୍ସ ମାଲିକ ଚନ୍ଦନ ଶାହାଙ୍କର ପାରିବାରିକ ସଂପର୍କୀୟ ଶ୍ୟାମସୁନ୍ଦର ଗୁପ୍ତାଙ୍କର ଅପରାଧିକ କାର୍ଯ୍ୟକଳାପର କ୍ରାଇମ୍‍ ବ୍ରାଞ୍ଚତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ସହରରେ ଏମାନଙ୍କର ପ୍ରୋତ୍ସାହନରେ “ବିହାରୀ କ୍ରିମିନାଲ’ଙ୍କର ନେଟଓ୍ୱାର୍କ ଲମ୍ବିବାରେ ଲାଗିଛି ଅଥଚପୁଲିସ ପ୍ରଶାସନ ଚୁପ ବସିଛି ।

ଭଦ୍ରକ ସହରରେ ଅଳ୍ପ ଦିନରେ ଶାହା-ଗୁପ୍ତା ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇବା ପଛର କାରଣ କଣ ଏହାର ପୁରା ତଦନ୍ତ କ୍ରାଇମବ୍ରାଞ୍ଚ କଲେ ସତ୍ୟାସତ୍ୟ ସାମ୍‍ନାକୁ ଆସିବ ବୋଲି କଂଗ୍ରେସ ଦାବି କରିଛି । ୨୦୦୭ ମସିହାରେ ଏଲ୍‍ଆଇସି ଅଫିସ ଗୁଳିକାଣ୍ଡ ଘଟଣା ବିହାରୀ ଅପରାଧୀଙ୍କର ବୋଲି ପ୍ରମାଣିତ ହୋଇ ସାରିଛି । “ଶାହା-ଗୁପ୍ତା’ଙ୍କ ଯୌଥ ଉଦ୍ୟୋଗର ପଛରେ ପୁଲିସ-କ୍ରିମିନାଲ ନେକ୍ସସ ଦାୟୀ ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି । ଭଦ୍ରକରେ ଦେଶୀ ମଦ ଓ ଡ୍ରଗ୍ସ କାରବାର ପଛରେ କିଏ ତାହାର ଲିଙ୍କ ପୁଲିସ ଖୋଳତାଡ କରୁ ବୋଲି କଂଗ୍ରେସ ଦାବି କରିଛି । ବିହାରର ବହୁ ଓ୍ୱାଂଟେଡ କ୍ରିମିନାଲ ଏବେ ଭଦ୍ରକରେ କାୟା ବିସ୍ତାର କରୁଛନ୍ତି । ଯାହା କି ଆଗାମୀ ଦିନରେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ । ଏହି ବିହାରୀ କ୍ରିମିନାଲ ଲିଙ୍କର ତଦନ୍ତ ପୁଲିସ ତୁରନ୍ତ କରିବା ଜରୁରୀ ବୋଲି କଂଗ୍ରେସ ପକ୍ଷରୁ କୁୁହାଯାଇଛି । ଏଥି ସହିତ ୭୨ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରା ନଗଲେ କଂଗ୍ରେସ ଭଦ୍ରକ ଏସ୍‍ପି ଅଫିସ ସମ୍ମୁଖରେ ଧାରଣା ଦେବ ବୋଲି ସମ୍ମିଳନୀରେ ଚେତାବନୀ ଦିଆ ଯାଇଛି । ଏହି ସମ୍ମିଳନୀରେ କଂଗ୍ରେସନେତା ନେତା ସୁବ୍ରତ ଦାସ, ଦିଲିପ ନାୟକ, ନଗର କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ ଓ ପୀତବାସ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply