Odisha news

ଏନଟିପିସି ବାଇପାସ ଛକରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ବିକ୍ଷୋଭ ପ୍ରଦର୍ଶନ

0

କଣିହାଁ, ୩/୭  :୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ କର୍ମଚାରୀ ଫେଡେରେସନମାନଙ୍କ ମିଳିତ ଆହ୍ୱାନରେ କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ, କର୍ମଚାରୀ ଓ ଜନମାରଣ ନୀତି ବିରୁଦ୍ଧରେ ଦେଶ ବ୍ୟାପୀ ପ୍ରତିବାଦ ଦିବସ ଉପଲକ୍ଷେ ଶୁକ୍ରବାର ଏନ.ଟି.ପି.ସି, କଣିହାଁ ବାଇପାସ ଛକ ଠାରେ ଆଇଏନ୍ଟିୟୁସି, ଏଚ୍ଏମ୍ଏସ୍ ଓ ଏଆଇୟୁଟିୟୁସି ପକ୍ଷରୁ ମିଳିତଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଶିଳ୍ପପତିମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କୋଡ ପ୍ରଣୟନ ଏବଂ ଦୈନିକ ଶ୍ରମ ନିର୍ଘଂଟ ଆଠ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବା, ଏନ.ଟି.ପି.ସି, ନାଲକୋ, ପିଜିସିଆଇଏଲ, କୋଇଲା ଆଦି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ରେଳ, ପ୍ରତିରକ୍ଷା, ବନ୍ଦର, କୋଇଲା, ବିମାନ ଚଳାଚଳ, ବ୍ୟାଙ୍କ ବୀମା ଓ ଖୁଚୁରା ବ୍ୟବସାୟର ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବନ୍ଦ କରିବା, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଓ ପେନସନ ଧାରୀଙ୍କ ଡିଆର ଫ୍ରିଜ୍ ନିଷ୍ପତ୍ତି ପ୍ରତ୍ୟାହାର କରିବା, ବିଦ୍ୟୁତ କର୍ମଚାରୀ ଓ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥବିରୋଧୀ ଇଲେକ୍ଟ୍ରିକ୍ସିଟି ଆକ୍ଟ ଆମେଣ୍ଡମେଣ୍ଟ ବିଲ୨୦୨୦କୁ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧିତ ଆଇନ୍ ୨୦୨୦କୁ ବାତିଲ କରିବା, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ନିର୍ଦ୍ଧାରଣ କରିବା, ପ୍ରବାସୀ ଶ୍ରମିକମାନଙ୍କୁ ଉପଯୁକ୍ତ କର୍ମସଂସ୍ଥାନ ଯୋଗାଇଦେବା, ଲକଡାଉନ ସମୟରେ କାର୍ଯ୍ୟ ହରାଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରୀ ସହିତ ପୁନଃନିଯୁକ୍ତି ପ୍ରଦାନ କରିବା, ପ୍ରବାସୀ ଶ୍ରମିକ, ଘରୋଇ ଶ୍ରମିକ, ବିଡି ଶ୍ରମିକ, ଉଠା ଦୋକାନୀ, ଅଟୋଚାଳକ, ମୋଟର କର୍ମଚାରୀ, ଖବର କାଗଜ ବିତରକ ଓ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ୬ ମାସ ପର୍ଯ୍ୟନ୍ତ ମାସିକ ୭ ହଜାର ୫ ଶହ ଟଙ୍କା ସହାୟତା ପ୍ରଦାନ କରିବା, ପାଚିକା, ଆଶା, ଅଙ୍ଗନୱାଡି, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ଏସଇଏମ ଆଦି ସ୍କିମ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ଏବଂ ଲକ୍ ଡାଉନ ପିରିୟଡର ପାରିଶ୍ରମିକ ସହିତ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବିରେ ଏହି ଆନେ୍ଦାଳନ ସଂଗଠିତ ହୋଇଥିଲା ।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଆଇଏନ୍ଟିୟୁସି ସହବନ୍ଧିତ ଏନଟିପିସି ଏମ୍ପ୍ଲୋଇଜ ୟୁନିୟନର କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ପ୍ରଧାନ, ସାଧାରଣ ସଂପାଦକ ସତ୍ୟାନନ୍ଦ ସାହୁ, ଅଫିସ ସଂପାଦକ ନିର୍ମଳ ପ୍ରଧାନ, କାର୍ଯ୍ୟକାରୀ ସଭ୍ୟ ପୁରୁଷୋତ୍ତମ ପ୍ରଧାନ, ଜେଆଇଟିପିଏଲ ୟୁନିୟନ ନେତା ଶିବରାମ ଦାସ, ଏଚ୍ଏମ୍ଏସ୍ ସହବନ୍ଧିତ ଏନଟିପିସି ମଜଦୂର ସଭାର ଯୁଗ୍ମ ସଂପାଦକ ପ୍ରସନ୍ନ କୁମାର ପାଣି, ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ୱାର୍କର୍ସ ୟୁନିୟନର ସଭାପତି ଜୟସେନ ମେହେର, ଉପସଭାପତି ଭିକାରୀ ପ୍ରଧାନ, ସାଧାରଣ ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ଟୁନା ନାଏକ, ୟୁନାଇଟେଡ୍ ଏମ୍ପ୍ଲୋଇଜ ୟୁନିୟନ (ଏନଟିପିସି)ର ସଭାପତି ରାଜେଶ ରଞ୍ଜନ ପାଣି, ଉପସଭାପତି ସଦାଶିବ ସିଂହ, ଯୁଗ୍ମ ସଂପାଦକ ଦୁଃଖିଶ୍ୟାମ ମଲ୍ଲିକ, କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

କରୋନା ମହାମାରୀରେ ଦେଶ ଉବୁଡୁବୁ ହେଉଥିବା ବେଳେ କୋଟି କୋଟି ଶ୍ରମଜୀବୀ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ କେନ୍ଦ୍ର ବିଜେପି ସରକାରଙ୍କର ଆକ୍ରମଣ ଅତ୍ୟନ୍ତ ଅମାନବିକ ପଦକ୍ଷେପ ବୋଲି ବିକ୍ଷୋଭକାରୀମାନେ ସ୍ଲୋଗନମାନ ଦେବା ସହିତ ବିଜେପି ସରକାର ଯେ ଛଟେଇ ଓ ଦରଦାମ ବୃଦ୍ଧିର ସରକାର ବୋଲି ଅଭିହିତ କରିଥିଲେ ।

ସରକାର ଶ୍ରମିକ-କର୍ମଚାରୀ ଓ ଜନ ବିରୋଧୀ ପଦକ୍ଷେପକୁ ପ୍ରତ୍ୟାହାର ନ କଲେ ଆଗାମି ଦିନରେ ମିଳିତ ଶକ୍ତିଶାଳୀ ପ୍ରତିରୋଧ ଆନେ୍ଦାଳନ ସଂଗଠିତ କରାଯିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଥିଲେ । ସେହିପରି ପିଜିସିଆଇଏଲ କଣିହାଁ ପାୱାର ଗ୍ରୀଡ ସମ୍ମୁଖରେ ଏଆଇୟୁଟିୟୁସି ସହବନ୍ଧିତ ଅନୁଗୁଳ ଡିଷ୍ଟ୍ରିକ୍ଟ ପିଜିସିଆଇଏଲ ୱାର୍କର୍ସ ୟୁନିୟନ ପକ୍ଷରୁ ଶ୍ରମିକମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

Nalco
Leave A Reply