ଭଦ୍ରକ, ତା୧୦/୦୩/୨୦୨୪: ଆଜି ପୂର୍ବାହ୍ଣରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ପତିତପାବନ ପାଣିଙ୍କ ସଂପାଦିତ ବିଶୁଦ୍ଧ ସାହିତ୍ୟ ପତ୍ରିକା ‘ଗୌରୀପ୍ରଭା’ର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।
‘ପ୍ରେମ ପୃଥିବୀ’ର ସଂପାଦକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବ ଓ କବି କିଶୋର ପାଣିଗ୍ରାହୀଙ୍କ ସଂଚାଳିତ ଏହି ଉନ୍ମୋଚନ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଫନୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏକ ବିଶୁଦ୍ଧ ସାହିତ୍ୟ ପତ୍ରିକା ବଂଚେଇ ରଖିବାର ପ୍ରୟାସ ଲେଖକ, ପାଠକ ଓ ସଂପାଦକଙ୍କ ସମନ୍ବିତ ଉଦ୍ୟମ ଉପରେ ନିର୍ଭର କରେ ଏବଂ ପତ୍ରିକା ସଂପାଦନା ରସିକ ପଣର ରୂପକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ।
ବରେଣ୍ୟ ବକ୍ତା ଭଦ୍ରକର ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଂଶୁମାନ ଦ୍ବିବେଦୀ ପଦପଦବୀ ଜୀବନର ଅବଲମ୍ବନ ବା ଆନୁଷଙ୍ଗିକ ହୋଇପାରେ ମାତ୍ର ଜୀବନର ଉଦ୍ଦେଶ୍ୟ ନୁହଁ ବୋଲି ମତ ରଖିଥିବାବେଳେ ଅନ୍ୟତମ ବରେଣ୍ୟ ବକ୍ତା କବି ଇଂ ସରୋଜ ମହାପାତ୍ର ସଂପ୍ରତି ଓଡିଆ ସାହିତ୍ୟର ଆଦୃତି, ସଂକଟ ଓ ସମାଧାନ ଉପରେ ଆଲୋକପାତ କରିଥିଲେ। ସଂପାଦକଙ୍କ ପିତା ଏବଂ କନିଷ୍ଠ ପିତା ଯଥାକ୍ରମେ ଗୌରୀଶ୍ୟାମ ପାଣି, ମାନସ ରଂଜନ ପାଣି ନିଜନିଜର ପ୍ରତିକ୍ରିୟା ସ୍ବରୂପ ପତ୍ରିକାର ନିରବଚ୍ଛିନ୍ନ ନିରାମୟ ପ୍ରକାଶନ କାମନା କରିଥିଲେ।
ଏହି ଅବସରରେ ପ୍ରଖ୍ୟାତ ପ୍ରାଧ୍ୟାପକ, ପ୍ରାବନ୍ଧିକ, ସମାଲୋଚକ, ଅନୁବାଦକ ତଥା ବିଚକ୍ଷଣ ବାଗ୍ମୀ ଡ. ବ୍ରଜମୋହନ ମିଶ୍ରଙ୍କୁ ପ୍ରଥମ ‘ଗୌରୀପ୍ରଭା ସାରସ୍ବତ ସମ୍ମାନ’ରେ ସମ୍ଭାନିତ କରାଯାଇଥିଲା। ସଂବର୍ଦ୍ଧିତ ପ୍ରତିଭା ଡ. ମିଶ୍ର ସାହିତ୍ୟ ଅଭିଜ୍ଞତାକୁ ବ୍ୟାପ୍ତି ଦେବା ସହ ଜୀବନକୁ ଉତ୍କୃଷ୍ଟ କରେ ବୋଲି କହିଥିଲେ।
ଏହି ସାରସ୍ବତ ସଭାରେ ‘ନିହାର କନ୍ୟା’ର ସଂପାଦକ କବି ସୁରଂଜନ ପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶ୍ରୀ ଯୁବକଥାକାର ସଂଗ୍ରାମ କେଶରୀ ସେନାପତି, କବି ବିଚିତ୍ରାନନ୍ଦ ଯେନା, ଦିଗ୍ବଳୟ ମଲ୍ଲିକ, ସ୍ରାଜ ବେହେରା, ସୁଜିତ୍ ସାହୁ ଓ ଜ୍ୟୋତ୍ସାରାଣୀ ପାଣି ପ୍ରଭୃତି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।