ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବି.ଏନ.ଏମ.ଏ କଲେଜର ସୁନାମରେ କଳାଛିଟା ଲାଗିଛି । କଲେଜର ଜଣେ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଦୌରାତ୍ମ୍ୟଯୋଗୁଁ ଛାତ୍ରୀମାନେ ଅସୁରକ୍ଷିତ ଥିବା ଅଭିଯୋଗ ହୋଇଛି । କଲେଜର ପ୍ରଶାସନିକ ବ୍ୟବସ୍ଥା ପ୍ରତି ଆସ୍ଥା ହରାଇ ଏହି ଶିକ୍ଷାନୁଷ୍ଠାନର ଯୁକ୍ତ ୩ ପ୍ରଥମ ବାର୍ଷର ବହୁ ଛାତ୍ରୀମାନେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି । ପରେ ଏହି ଛାତ୍ରୀମାନେ ଭଦ୍ରକ ଏସପିଙ୍କୁ ଭେଟିଥିବା ଜଣାଯାଇଛି । କଲେଜର ଜଣେ କର୍ମଚାରୀଙ୍କୁ ଆକ୍ରୋଶର ଶିକାର ହୋଇଥିବା ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓ ତାଙ୍କର ବହୁ ସହପାଠିନୀଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ଲିଖିତ ଅଭିଯୋଗ କରିଛନ୍ତିି । ଉକ୍ତ କର୍ମଚାରୀଙ୍କ ଦୌରାତ୍ମ୍ୟ ଯୋଗୁଁ ସେ କଲେଜରେ ଆହୁରି ୨ ବର୍ଷ କେମିତି କଟାଇବେ ଏ ନେଇ ଲକ୍ଷ୍ମୀପ୍ରିୟା ଆତଙ୍କିତ ଥିବା କଥା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗରେ ଉଲ୍ଲେଖ ରହିଛି ଯେ : ନାମ ଲେଖା ସମୟରେ ତାଙ୍କୁ ଏହି କର୍ମଚାରୀ ଜଣଙ୍କ ୪ ହଜାର ଟଙ୍କା ମାଗିଥିଲେ । ଟଙ୍କା ମାଗିବା ଘଟଣାକୁ ଫୋନ ରେକଡିଂ କରି ଛାତ୍ରୀଜଣକ ଅଧ୍ୟାପକଙ୍କୁ ଜଣାଇଥିଲେ । ଏହି ଘଟଣାରେ କର୍ମଚାରୀ ଜଣଙ୍କ ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇଥିଲେ । ଏପରିକି ପରୀକ୍ଷାରେ ଫେଲ୍ କରାଇବା ଓ କଲେଜରୁ ତାଙ୍କୁ ବିଦା କରିଦେବା ଧମକ ଦେଇଥିଲେ । ପ୍ରଥମ ସେମିଷ୍ଟାର ପରୀକ୍ଷା ସମୟରେ ତାଙ୍କୁ ଯେଉଁ ଏଡମିଟ କାର୍ଡ ଦିଆଯାଇଥିଲା ସେଥିରେ ତାଙ୍କ ଫଟୋ ପରିବର୍ତ୍ତେ ଅନ୍ୟଜଣେ ଛାତ୍ରୀଙ୍କ ଫଟୋ ଦିଆଯାଇଥିଲା । ଫଳରେ ପରୀକ୍ଷା ସମୟରେ ସେ ନାନା ଅସୁବିଧାର ସମ୍ମଖୀନ ହୋଇଥିଲେ । ଏହି କର୍ମଚାରୀ ଜଣଙ୍କ ଅଧିକାଂଶ ସମୟରେ ଚତୁରତାର ସହ ବିଭିନ୍ନ ଆଳ ଦେଖାଇ ପିଲାମାନଙ୍କ ଠାରୁ ଅର୍ଥ ଶୋଷଣ କରିଥାନ୍ତି । କଲେଜର ବିଭିନ୍ନ ଫି ପେମେଣ୍ଟରେ ରସିଦ ମାଗିଲେ ପିଲାମାନଙ୍କୁ ଦିଅନ୍ତି ନାହିଁ ବୋଲି ଛାତ୍ରୀମାନେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଏହା ବାଦ ଆହୁରି ସାଂଘାତିକ କଥା ଅଭିଯୋଗରେ ଉଲ୍ଲେଖ ରହିଛି । କଲେଜ ଯାତାୟତ ରାସ୍ତାରେ ତାଙ୍କୁ ଓ ତାଙ୍କ ସାଙ୍ଗମାନଙ୍କୁ ସେ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିବା ସହ ଦୂରରୁ ସେମାନଙ୍କ ଫଟୋ ଉଠାଇବା ଲକ୍ଷ୍ମୀପ୍ରିୟାଙ୍କ ସମେତ ଅନ୍ୟ ଛାତ୍ରୀମାନଙ୍କ ଦସ୍ତଖତ ସମ୍ଭଳିତ ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଗତକାଲି(୨୧ତାରିଖ) ମଧ୍ୟାହ୍ନ ଦେଢଟା ବେଳେ କଲେଜ ନିକଟସ୍ଥ ଏକ କୋଚିିଙ୍ଗ ସେଣ୍ଟରେ ଅନ୍ୟ ସହପାଠିନୀଙ୍କ ସହ ଟୁ୍ୟସନ ହେଉଥିବା ସମୟରେ ସେହି କର୍ମଚାରୀ ଜଣ ଓ ଅନ୍ୟ ୩ ଜଣ ସେଣ୍ଟର ମଧ୍ୟକୁ ପ୍ରବେଶ କରି ଭିଡିଓ ରେକଡିଂ କରୁଥିଲେ । ଛାତ୍ରୀମାନେ ପଚାରିବାରୁ ତାଙ୍କ ଅଧ୍ୟକ୍ଷ ପଠାଇଥିବା କଥା କହିଥିଲେ । ଛାତ୍ରୀମାନେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ପ୍ରଦାନ ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିବା ଛାତ୍ରୀମାନେ ହେଲେ-ଲକ୍ଷ୍ମୀପ୍ରିୟା ବେହେରା, ସ୍ମୃତିରେଖା ରାଉତ, ସଂଗୀତା ବେହେରା, ରଞ୍ଜିତା ପରିଡା, ନିବେଦିତା ବାରିକ, ମନୋସ୍ୱିନୀ ପାଣିଗ୍ରାହୀ, ଉର୍ବଶୀ ସ୍ୱାଇଁ, ମନୋଲିସା ସ୍ୱାଇଁ ପ୍ରମୁଖ ।