ମୁମ୍ବାଇ: ଆଜି ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜନ୍ମଦିନ ଅବସରରେ ଏମଏନଏସ୍ ପକ୍ଷରୁ ମୁମ୍ବାଇରେ ଏକ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ଦଳ ନିଜର ପତାକାକୁ ଗୈରିକ ରଙ୍ଗ କରିବା ସହିତ ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାର ଫଟୋକୁ ବି ଏଥିରେ ସ୍ଥାନ ଦେଇଛି। ବୀର ସାବରକରଙ୍କ ଫଟୋକୁ ବି ମଞ୍ଚରେ ରଖାଯିବାର ଦେଖିବାକୁ ମିଳିଛି। ଏଥର ଦଳ ହିନ୍ଦୁତ୍ବ କଥାକୁ ଗୁରୁତ୍ବ ଦେଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଏମଏନଏସ୍ ନିଜର ପତାକାକୁ ମଧ୍ୟ ଗୈରିକ ରଙ୍ଗ କରିବାର ନିଷ୍ପତ୍ତି ନେଇଥିଲା। କଂଗ୍ରେସ ଏବଂ ଏନସିପି ସହ ଶିବସେନା ହାତ ମିଳାଇବା ପରେ ଶିବସେନା ନିଜ ହିନ୍ଦୁତ୍ୱ ପ୍ରସଙ୍ଗକୁ ଆଉ ଗୁରୁତ୍ବ ଦେଉ ନାହିଁ ବୋଲି ଏମଏନଏସ୍ ବିଚାର କରୁଛି। ଏଣୁ ରାଜ୍ୟରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେବାଲାଗି ପାଇଁ ଏମଏନଏସ୍ ବିଜେପିର ନିକଟତର ହେବାକୁ ଚାହୁଁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣର ଆଭାସ ମିଳିଛି। ଦୁଇଟି ଦଳ ଏକାଠି ଆସୁଥିବାର ସୂଚନା ବି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଏମଏନଏସ୍ ମୁଖ୍ୟ ରାଜ୍ ଠାକରେଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରେ ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଛି।
ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣର ଚର୍ଚ୍ଚା ଜୋର ଧରିଛି । ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଏମଏନଏସ୍ ମୁଖ୍ୟ ରାଜ୍ ଠାକରେଙ୍କ ମଧ୍ୟରେ ମୁମ୍ବାଇରେ ସାକ୍ଷାତ ହୋଇଥିଲା। ଏଦୁଇ ନେତା ସାଂପ୍ରତିକ ରାଜନୀତି ଏବଂ ଉଭୟ ଦଳର ଭବିଷ୍ୟତ ରଣନୀତି ନେଇ ଚର୍ଚ୍ଚା କରିଥିଲେ ।