ସ୍ୱାଧୀନତା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ , ପଡିଆକୁ ଯିବେନି ଦର୍ଶକ : ଭାଗନେବେ କୋଭିଡ୍ ଟେଷ୍ଟ ହୋଇଥିବା ପୋଲିସ କର୍ମଚାରୀ
ଭଦ୍ରକ :ଆସନ୍ତା ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅଧ୍ୟକ୍ଷତା କରି ଜିଲ୍ଳାର ସମସ୍ତ ସରକାରୀ ବେସରକାରୀ ସଂସ୍ଥାମାନେ ସକାଳ ସାଢେ ୭ଟାରେ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସୀମିତ କର୍ମଚାରୀ ବା ସଦସ୍ୟ ଉପସ୍ଥିତ ରହିବେ ଏବଂ ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ମାସ୍କ ନିଶ୍ଚିତ ଭାବେ ପିନ୍ଦିବେ । ସେହିଭଳି ଶିକ୍ଷାନୁଷ୍ଠାନ ମାନଙ୍କରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମାଜିକ ଦୂରତ୍ୱ ରକ୍ଷାକରି ମାସ୍କ ପନ୍ଧି ପତାକା ଉତ୍ତୋଳନ କରିବେ । କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ପାରିବେ ନାହିଁ । ଜିଲ୍ଲା ସ୍ତରୀୟ ଉତ୍ସବ ଚଳିତ ବର୍ଷ ଭଦ୍ରକ ସ୍ୱୟଂ ଶାସିତ କଲେଜ ପଡିଆରେ ପାଳନ ହେବ ।
ମୁଖ୍ୟ ଅତିଥି ଠିକ୍ ସକାଳ ୯ଟା ୧୫ ମିନିଟ ସମୟରେ ପତାକା ଉତ୍ତୋଳନ କରିବେ । ପଡିଆକୁ ଦର୍ଶକଙ୍କୁ ଯିବାରେ ପ୍ରତିବନ୍ଧକ ଜାରି କରାଯାଇଛି । କେବଳ ପୁଲିସ କର୍ମଚାରୀ ଜାତୀୟ ସଂଗୀତ ବ୍ୟାଣ୍ଡ ବଜାଇବେ ଏବଂ ୩ଟି ଟ୍ରୁପ ପୁଲିସ ଜାତୀୟ ପତାକାକୁ ସମ୍ମାନ ଜଣାଇ ସଲାମୀ ଦେବେ । ଯେଉଁ ସବୁ ପୁଲିସ କର୍ମଚାରୀ ଏଥିରେ ଭାଗ ନେବେ ସେମାନଙ୍କର ଉତ୍ସବ ପାଳନ ପୂର୍ବରୁ ସମସ୍ତଙ୍କର କୋବିଡ ଆଣ୍ଟିଜେନ ଟେଷ୍ଟ କରାଯିବ । ଏହି ସମାରୋହ ମଧ୍ୟ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ପାଳନ କରାଯିବ ବୋଲି ଜିଲ୍ଲାପାଳ ଡ. ଦାସ ସୂଚନା ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଅରୁଣ କୁମାର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଏସ୍ପି କୈଳାସ ପରିଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।