ବେତନଟୀ : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଖଇରିବଣି ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅଜଣା ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ନେଇ ତଦନ୍ତ ଚଳାଇଛି ବୈଶିଙ୍ଗା ପୁଲିସ। ପ୍ରାପ୍ତ ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତ୍ରି ପାଖାପାଖି ୨ଘ ୩୦ମି. ସମୟରେ ଖଇରିବଣି ଛକ ନିକଟରେ କୌଣସି ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଧକ୍କାରେ ଜଣେ ଅଜଣା ଯୁବକଙ୍କ ଜଣକ ରକ୍ତାକ୍ତ ଅବସ୍ଥାରେ ରାଜପଥ ଉପରେ ପଡ଼ିରହିଥିଲା। ସୁଯୋଗ ପାଇ ଧକ୍କା ଦେବା ପରେ ଗାଡ଼ିଟିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଡ୍ରାଇଭର। ତେବେ ବୈଶିଙ୍ଗା ପୁଲିସର ପେଟ୍ରୋଲିଙ୍ଗ ଗାଡି ଉକ୍ତ ରାସ୍ତାରେ ଯାଉଥିବାବେଳେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଜଣେ ଯୁବକକୁ ଦେଖିଥିଲେ । ସେହି ଯୁବକଙ୍କ ପାଖକୁ ଯାଇ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସ ଅଜଣା ଯୁବକ ର ମୃତ୍ୟୁ ଶବକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥବା ଜଣାଯାଇଛି | ବୈଶିଙ୍ଗା ଥାନାର ଏଏସଆଇ ସୁବ୍ରତ ସାହୁ ୨୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।