ବେତନଟୀ : ଅଜଣା ଦୁର୍ବୁର୍ତ୍ତଙ୍କ ଆକ୍ରମଣରେ ବୈଶିଙ୍ଗା ଥାନା ଅଧୀନ ବୈଦିପୁର ଗ୍ରାମର ଚକରା ସିଂଙ୍କ ୩୦ବର୍ଷୀୟ ପୁଅ ମନରଞ୍ଜନ ସିଂ ଗୁରୁତର l ସୂଚନା ଅନୁଯାଇ ମନରଞ୍ଜନଙ୍କର ବଡବାପା ଜଳଧରଙ୍କ ଘରେ ବିବାହ ଭୋଜି ଚାଲିଥିବାବେଳେ ସେ ସେଠାରେ ଉପସ୍ଥିତ ରହି ଲୋକଙ୍କ ଖାଇବା ପିଇବା ନେଇ ବୁଝାବୁଝି କରୁଥିଲା l ହେଲେ ହଟାତ୍ ଅନ୍ଧାରର ସୁଯୋଗ ନେଇ କେହି ଜଣେ ଦୁର୍ବୁତ୍ତ କୌଣସି ଅସ୍ତ୍ର ସାହାଯ୍ୟରେ ମନରଞ୍ଜନର ପଛପଟ ମଥାରେ ଶକ୍ତ ପ୍ରହାର କରିଥିଲା l କେହି କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା l ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନରଞ୍ଜନକୁ ପରିବାର ଲୋକ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିବା ବେଳେ ରକ୍ତସ୍ରାବ ବନ୍ଦ ନହୋଇ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ହେଲେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବୈଶିଙ୍ଗା ଥାନାରେ କୌଣସି ଅଭିଯୋଗ ହୋଇନାହିଁ କିମ୍ବା ବୈଶିଙ୍ଗା ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ବୈଶିଙ୍ଗା ଥାନାକୁ କିଛି ସୂଚନା ଦେଇ ନ ଥିବାର ଜଣାଯାଇଛି ।ତେବେ କାହିଁକି କିପରି ଏହି ଘଟଣା ଘଟିଲା ତାହା ତଦନ୍ତ ହେବା ଦରକାର ।
