Odisha news

ବେତନଟୀ ପୂର୍ବତନ ତହସିଲଦାର ଅନିଶା ଦାସଙ୍କୁ ଗିରଫ ଦାବିରେ ଧାରଣା ତୃତୀୟ ଦିନରେ : ପୂର୍ବତନ ତହସିଲଦାର ଗିରଫ ନହେଲେ ଅଗଷ୍ଟ ଚାରି ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନାରେ ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସ ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ମାମଲା ନମ୍ବର ୧୫୯/୨୦୨୦ ରୁଜୁ ହୋଇ ତଦନ୍ତ ଚାଲିଛି । ପୂର୍ବତନ ତହସିଲଦାର ତଥା କଳାହାଣ୍ଡିର ନିଲମ୍ବିତ ଡେପୁଟୀ କଲେକ୍ଟର ଅନିଶା ଦାସଙ୍କୁ ପୋଲିସ ଗିରଫ କରୁ ନଥିବାରୁ ବିଜେପି ତରଫରୁ ବୈଶିଙ୍ଗା ଥାନା ସମ୍ମୁଖରେ ଗତ ତିନି ଦିନ ଧରି ଧାରଣା ଦିଆ ଯାଇଛି । ଲଘୁ ଖଣିଜର ଦୁର୍ନିତୀ ଦ୍ୱାରା ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ତଥାପି ପ୍ରଶାସନ ଓ ପୋଲିସ ଦୋଷୀ ଅଧିକାରୀ ମାନଙ୍କୁ ସୁରକ୍ଷା ଦେଉଛି କାହିଁକି ବୋଲି ବିଜେପି ଦଳ ପ୍ରଶ୍ନ କରିଛି । ଏଥିର ସଂପୃକ୍ତ ସମସ୍ତ ମାଫିଆ, ଦଲାଲ ଓ ମଧ୍ୟସ୍ଥି ମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବା ସହିତ ସେମାନଙ୍କୁ ଗିରଫ କରିବାକୁ ବିଜେପି ଦଳ ଦାବି କରି ଆସୁଅଛି । ବେତନଟୀ ତହସିଲରେ ଜମି ଲିଜ, କେନ୍ଦ୍ର ସରକାରଙ୍କର ଏନଏଚଏଆଇର କ୍ଷତିପୂରଣ ବେଳେ ମଧ୍ୟସ୍ଥିଙ୍କ ମାଧ୍ୟମରେ ମୋଟା ଅଙ୍କର ଭାଗ ଆଦାୟ ଭଳି ଘଟଣା ପଦାକୁ ଆସିଛି ।

ସାଂସଦଙ୍କ ସହିତ ଚାରି ଜଣ ବିଧାୟକ ଧାରଣାରେ ବସିବା ପରେ ଜଣେ ନିଲମ୍ବିତ ତହସିଲଦାରଙ୍କୁ ଗିରଫ କରିବାରେ ପୋଲିସ ଅସମର୍ଥ ହେଉଛି । କାହା ଚାପରେ ଏପରି କୋହଳ ନୀତି ଅବଲମ୍ବନ କରୁଛନ୍ତି ତାକୁ ନେଇ ବିଜେପି ବିଶାଳ ପ୍ରଶ୍ନ ଉଠାଇଛି । କଣ ନିଲମ୍ବିତ ତହସିଲଦାରଙ୍କୁ ଗିରଫ କଲେ ତୃତୀୟ ମହଲା, ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀଙ୍କ କୌଣସି ଗୁମର ଖୋଲି ଯିବକି ବୋଲି ବିଜେପି ଦଳ ପ୍ରଶ୍ନ କରିଛି । ଏହା ବିରୁଦ୍ଧରେ ବିଧିବଦ୍ଧ ତଦନ୍ତ କଲେ ଏକ କଳଙ୍କିତ ଅଧ୍ୟାୟ ଆଗକୁ ଆସିବ ବୋଲି ବିଜେପି ଦଳ ପ୍ରକାଶ କରିଛି । ବଡସାହି ବିଧାୟକ ସନାତନ ବିଜୁଳିଙ୍କ ଆବାହକତ୍ୱରେ ଆରମ୍ଭ ହୋଇ ଥିବା ଏହି ଜନ ଆନେ୍ଦାଳନକୁ ଏବେ ରାଜ୍ୟ ବିଜେପି ସଂଗଠନ ମଧ୍ୟ ଏହାକୁ ଏକ ରାଜ୍ୟ ଇସ୍ୟୁ ଭାବେ ଗ୍ରହଣ କରି ଥିବାର ଜଣା ପଡିଛି । ଆଜି ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ବିଜେପି ଦଳ ବୈଶିଙ୍ଗା ଥାନା ସମ୍ମୁଖରେ ତୃତୀୟ ଦିନ ଧାରଣା ଦେଇ ଥିଲା ।

ଏଥିରେ ବଡସାହି ବିଧାୟକ ସନାତନ ବିଜୁଳି, ବେତନଟୀ ବ୍ଲକ ଅଧ୍ୟକ୍ଷ କାଳିଚରଣ ସୋରେନ, ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ରାଉତ ପ୍ରମୁଖ ଧାରଣାରେ ବସି ଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ଗତକାଲି ଏହି ଧାରଣାରେ ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ୱର ଟୁଡୁ, ବଡସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କରଚନ୍ଦ୍ର ମଢ଼େଇ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ ପ୍ରମୁଖ ସାମିଲ ହୋଇ ଥିଲେ । ଆଇନ ଆଗରେ ସମସ୍ତେ ସମାନ, ଦୁର୍ନିତୀ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ୫ଟି ଲଢ଼ୁଛି ବୋଲି ଡିଣ୍ଡିମ ପିଟୁ ଥିବା ସରକାରଙ୍କ ବେତନଟୀର ଦୁର୍ନିତୀଗ୍ରସ୍ତ ପୂର୍ବତନ ତହସିଲଦାରଙ୍କ ବିରୁଦ୍ଧରେ କୋହଳ କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ବିଜେପି ପ୍ରଶ୍ନ କରି ଥିଲା । ଅଭିଯୁକ୍ତ ମାନଙ୍କୁ ଜାଣିଶୁଣି ଖସାଇ ଦେବାକୁ ପ୍ରଶାସନ ଓ ପୋଲିସ ପ୍ରୟାସ କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ଆଜିର ବୈଶିଙ୍ଗା ଥାନା ସମ୍ମୁଖରେ ଧାରଣା ପରେ ବିଜେପି ଦଳ ଧାରଣାକୁ ସ୍ଥଗିତ କରିଛି । ଆଜି ସୁଦ୍ଧା ପୂର୍ବତନ ବେତନଟୀ ତହସିଲଦାର ଅନିଶା ଦାସଙ୍କୁ ଗିରଫ କରିବାକୁ ବିଜେପି ଦଳ କଣ୍ଟ ଦେଇଛି । ନଚେତ ଆସନ୍ତାକାଲି ଠାରୁ ଜିଲ୍ଲା ସ୍ତରୀୟ ଆନେ୍ଦାଳନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିବ ବୋଲି ଏକ ଲିଖିତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ମୟୂରଭଞ୍ଜ ଜିଲ୍ଲାପାଳ, ମୟୂରଭଞ୍ଜ ଏସପି ଓ ବୈଶିଙ୍ଗା ଥାନାଧିକାରୀଙ୍କୁ ପ୍ରଦାନ କରା ଯାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା ଓ ଦୁର୍ନିତୀକୁ ସହଯୋଗ କରୁ ଥିବା ପ୍ରତିବାଦରେ ବିଜେପି ଦଳ ଆସନ୍ତା ୪ ଅଗଷ୍ଟ ପାଖରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଏହି ସ୍ମାରକ ପତ୍ରରେ ଦର୍ଶା ଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ସାଂସଦ, ୬ ଜଣ ବିଜେପି ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଜେପିର ସମସ୍ତ ଜିଲ୍ଲା ପରିଷଦ, ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, କର୍ମକର୍ତ୍ତା ମାନେ ସାମିଲ ରହିବେ ବୋଲି ଦର୍ଶା ଯାଇଛି ।

Leave A Reply