ବାଲିଗୁଡା, ତା, ୨୧/୦୭ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ନିଯୁକ୍ତ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ନିରଞ୍ଜନ ପାଣ୍ଡିଆ, ପ୍ରାଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ନୂତନ ଅଧ୍ୟକ୍ଷ ଭାବେ ନିରଞ୍ଜନ ପାଣ୍ଡିଆ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା, ଗବେଷଣା, ନୈତିକ ମୂଲ୍ୟବୋଧ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେବା ପାଇଁ ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ। ସମସ୍ତଙ୍କ ସହଯୋଗରେ ମହାବିଦ୍ୟାଳୟ କୁ ଅଧିକ ଉନ୍ନତିର ପଥରେ ଆଗେଇ ନେବାକୁ ସେ ଆହ୍ୱାନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ କର୍ମଚାରୀ ନୂତନ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଥିଲେ।
