Odisha news

ପୂର୍ବତନ ତହସିଲଦାର ଅନିଶାଙ୍କ ଲଘୁ ଖଣିଜ ମାଫିଆ ଲିଙ୍କ ମାମଲାର ତଦନ୍ତରେ ଯୋଡି ହେଲେ ସ୍ୱତନ୍ତ୍ର ଡିଏସପି ଯଦୁନାଥ ଜେନା : ନିଲମ୍ବିତ ଡେପୁଟୀ କଲେକ୍ଟର ଅଗ୍ରିମ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ

0

ବେତନଟୀ  : ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିଥ ଏସ ପାରମାର ମୁଖ୍ୟାଳୟ ଡିଏସପି ଯଦୁନାଥ ଜେନାଙ୍କୁ ବୈଶିଙ୍ଗା ଥାନାରେ ରୁଜୁ ହୋଇ ଥିବା ମାମଲା ନମ୍ବର ୧୫୯/୨୦୨୦ର ତଦାରଖ କରିବା ପାଇଁ ସ୍ୱତନ୍ତ୍ର ଭାବେ ନିଦେ୍ର୍ଦଶ ଦେଇ ଥିବାର ଜଣା ପଡିଛି । ଯଦୁନାଥ ଜେନା ଜଣେ ଦକ୍ଷ ପୋଲିସ ଅଧିକାରୀ । ପୂର୍ବରୁ ସେ ବିଭିନ୍ନ ସମ୍ବେଦନଶୀଳ ମାମଲାର ତଦନ୍ତ କରି ଶେଷରେ ଚୁଡାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ସେ ବୈଶିଙ୍ଗା ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରି ଥିବାରୁ ତଦନ୍ତରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମତ ପ୍ରକାଶ ପାଉଛି ।

ନିରପେକ୍ଷ ଭାବେ ତଦନ୍ତ କରି ଅସଲ ଦୋଷୀକୁ ଏହି ମାମଲାରେ ଦଣ୍ଡ ଦେବା ସହିତ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ ମୂଳ ଲକ୍ଷ୍ୟ ହେବ ବୋଲି ଡିଏସପି ଯଦୁନାଥ ଜେନା ସୂଚନା ପ୍ରଦାନ କରିଛନ୍ତି । ବୈଶିଙ୍ଗା ଥାନାରେ ପହଞ୍ଚି ଯଦୁନାଥ ଜେନା ମାମଲାର ପ୍ରାଥମିକ ତଥ୍ୟ ସଂଗ୍ରହ କରି ଜିଲ୍ଲା ମୁଖ୍ୟାଳୟକୁ ଫେରି ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସ ଓ ଲଘୁ ଖଣିଜ ମାଫିଆଙ୍କ ମାମଲାକୁ ନେଇ ବୈଶିଙ୍ଗା ଥାନାରେ ବିଭିନ୍ନ ଦଫା ମୂଳେ ମାମଲା ନମ୍ବର ୧୫୯/୨୦୨୦ ରୁଜୁ ହୋଇ ନିଜେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଏହାର ତଦନ୍ତ କରୁଛନ୍ତି । ଏହି ମାମଲାର ଗୁରୁତ୍ୱ ସହିତ ଏହାର ତଦନ୍ତ ସହିତ ଜଡିତ ବୈଦ୍ୟୁତିକ ପ୍ରମାଣ, ଅଡିଓ ଟେପ, ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୟୋଗଶାଳାର ରିପୋର୍ଟ, ଫଟୋ, ଭିଡିଓ, ଅଭିଯୋଗକାରୀଙ୍କ ଅଭିଯୋଗ, ସାକ୍ଷ୍ୟ ମାନଙ୍କର ବେତନଟୀ କୋର୍ଟର ମାନ୍ୟବର ଜେଏମଏଫସି ସୁଧୀ ରଞ୍ଜନ ଦାଶଙ୍କ ସମ୍ମୁଖରେ ସିଆରପିସି ୧୬୪ ମୂଳେ ରେକର୍ଡ ହୋଇ ଥିବା ବୟାନ, ମାମଲାରେ ସଂପୃକ୍ତ ସମସ୍ତ ଗାଡି, ମୋଟର, ମୋବାଇଲ ଫୋନ ଓ ଅନ୍ୟାନ ତଥ୍ୟ ପ୍ରମାଣକୁ ନେଇ ପୋଲିସ ତଦନ୍ତ କରୁଛି ।

ପୂର୍ବରୁ ଏହି ମାମଲାରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବାଲେଶ୍ୱରର ଡିଏସପି ମନୋଜ କୁମାର ରାଉତ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ଯୋଡି ହୋଇ ଅଛନ୍ତି । ଡିଏସପି ଯଦୁନାଥ ଜେନା ଏହି ମାମଲାରେ ଯୋଡି ହେବା ଦ୍ୱାରା ତଦନ୍ତର ଦିଗ ଆହୁରି ବଳିଷ୍ଠ ହେବ ବୋଲି ଜଣା ପଡିଛି । ଅନ୍ୟ ପକ୍ଷରେ ଏହି ମାମଲାରେ ଫସି ଥିବା ବେତନଟୀର ପୂର୍ବତନ ତହସିଲଦାର ତଥା କଳାହାଣ୍ଡିର ଡେପୁଟୀ କଲେକ୍ଟର ଅନିଶା ଦାସ ନିଲମ୍ବିତ ହେବା ପରେ ତାଙ୍କର ମୁଖ୍ୟାଳୟ ଭାବେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୋଲି ନିଦେ୍ର୍ଦଶ ଦିଆ ଯାଇଛି । ଗତକାଲି ନିଲମ୍ବିତ ଓଏଏସ ଅଧିକାରୀ ଅନିଶା ମାମଲାରେ ଅଗ୍ରିମ ଜାମିନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇ ଥିବାର ଜଣା ପଡିଛି । କୋଭିଡ ଯୋଗୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଇ-କୋର୍ଟରେ ଅନିଶା ଅଗ୍ରିମ ଜାମିନ ପାଇଁ ଏବିଏଲଏପିଏଲ ସଂଖ୍ୟା ୮୬୩୦/୨୦୨୦ ଫାଇଲ କରିଛନ୍ତି । ବୈଶିଙ୍ଗା ଥାନା ମାମଲା ନମ୍ବର ୧୫୯/୨୦୨୦ ଓ ବେତନଟୀ ଜେଏମଏଫସି କୋର୍ଟର ଜିଆର ମାମଲା ନମ୍ବର ୦୦୦୦୪୧୫-୨୦୨୦ ମାମଲାରେ ଅଗ୍ରିମ ଜାମିନ ପାଇଁ ସେ ଆବେଦନ କରି ଥିବାର ଜଣା ପଡିଛି

Leave A Reply