ଭୂମିଜ ଭାଷାକୁ ସରକାରୀ ମାନ୍ୟତା ନ ଦେବା ପ୍ରତିବାଦରେ ୧୧ ତାରିଖ ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବେତନଟୀ : ଦୀର୍ଘ ବର୍ଷ ଧରି ସର୍ବଭାରତୀୟ ଆଦିବାସୀ ଭୂମିଜ ସମାଜ ଭୂମିଜ ଭାଷାକୁ ସରକାରୀ ମାନ୍ୟତା ଦେବା ପାଇଁ ବାରମ୍ଵାର ସରକାର ମିଥ୍ୟା ପ୍ରତିଶୃତି ଦେଇ କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ମାର୍ଚ୍ଚ ୧୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାରିପଦା କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭୂମିଜ ସମାଜ ତରଫରୁ ଓ ଚେତାବନୀ ଦିଆ ଯାଇଛି। ଏଥି ପାଇଁ ଆଜି ମଙ୍ଗଳବାର ପୂର୍ବାହ୍ନରେ ମୁକ୍ତାପୁର ପଞ୍ଚାୟତ ଅଧିନ ଉଦିପୁରା ନୂଆସାହି ଠାରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ଆନୁକୁଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ନହୋଇଥିଲା। ବରିଷ୍ଠ ସଦସ୍ୟ ସୋମନାଥ ସିଂ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ସିଂ ଅତିଥି ପରିଚୟ ଦେଇଥିଲେ।ମୂଖ୍ୟ ଅତିଥି ଭାବେ କଳମା ସରପଞ୍ଚ ଗୋପିନାଥ ସିଂ ଯୋଗ ଦେଇ ଭୂମିଜ ସମାଜ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ପ୍ରତି ଘୋର ନିନ୍ଦା ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଭୂମିଜ ସମାଜର ଓଡ଼ିଶା ଶାଖା ସମ୍ପାଦକ ନୀଳକଣ୍ଠ ସିଂ ଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମତ ପ୍ରକାଶ କରିଥିଲେ।ମୂଖ୍ୟବକ୍ତା ଭାବେ ପୂର୍ବ କେନ୍ଦ୍ରୀୟ କମିଟୀ ସଭାପତି ପାଇକ ସିଂ ଯୋଗଦେଇ ମାର୍ଚ୍ଚ ୧୧ ତାରିଖ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରିବା ପାଇଁ ଆବାଳ ବୃଦ୍ଧ ବନିତା ଙ୍କୁ ଆହ୍ୱାନ ଦେଇଥିଲେ। ବହୁ ମାନ୍ୟ ଗଣ୍ୟ ଅତିଥି ମାନେ ଏଥିରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟିଆ ସିଂ, ବିଦୁ ସିଂ, ରଥିଆ ସିଂ, ବାଙ୍ଗରୁ ସିଂ, ଶ୍ୟାମ ସିଂ ଙ୍କ ସମେତ ବହୁ ମହିଳା ମୋର୍ଚ୍ଚାର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ।ଯୋଗ ଦେଇଥିବା ପ୍ରତ୍ୟେକ ବାକ୍ତି ନିଜ ନିଜ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ କିପରି ଅଧିକ ଯୋଗ ଦେଇ ପାରିବେ ସେଥିପାଇଁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା।