ବେତନଟୀ : ବୈଶିଙ୍ଗା ଥାନା ଅଧୀନ 18ନଂ ଜାତୀୟ ରାଜପଥର ଗଡ଼ଗଡିଆ ନିକଟରେ ଏକ ଦ୍ରୁତଗାମୀ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡର ପାରକରିବା ସହିତ ଅପରପାର୍ଶ୍ୱ ରାସ୍ତା ପାର କେନାଲ ଭିତରେ ଓଲଟି ପଡିଲା l କାରରେ ବସିଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଶଙ୍କଟାପନ୍ନ ଥିବାବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ ବାଲେଶ୍ୱର ପଟରୁ ବାରିପଦା ଅଭିମୁଖେ ଯାଉଥିବା OR01R-9357 ନଂ ବିଶିଷ୍ଟ ଏକ ଅତ୍ୟନ୍ତ ଦ୍ରୁତଗାମୀ ସ୍କର୍ପିଓ ନିଜର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଯାଇଥିଲା ଏବଂ ଅପରପାର୍ଶ୍ୱ ରାସ୍ତା ପାର କରି କେନାଲ ଭିତରେ ପଶି ଯାଇଥିଲା l ଦୁର୍ଘଟଣାରେ କାର ଟିର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଉକ୍ତ ଦୁର୍ଘଟଣାରେ କାରରେ ବସିଥିବା ଚାଳକ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସେକ ମୁସ୍ତାକ ଓ ଅକ୍ଷୟ ଅନନ୍ତ କର l ଅନ୍ୟଜଣେ ଗୁରୁତର ହୋଉଛନ୍ତି ବାଲେଶ୍ୱର କେନ୍ଦୁଝର ଅଞ୍ଚଳର ଅଭିମନ୍ୟୁ ତ୍ରିପାଠୀ l ଉକ୍ତ ସମୟରେ ଉପସ୍ଥିତ କିଛି ସ୍ଥାନୀୟ ବାସିନ୍ଦା ଓ କିଛି ସହୃଦୟ ବ୍ୟକ୍ତି ମିଶି ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ବେତନଟୀ ଡାକ୍ତରଖାନା ନେଇଯାଇଥିଲେ l ସେଠାରେ ଅକ୍ଷୟ ଅନନ୍ତଙ୍କ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା l ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଛି ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓକୁ ରାସ୍ତାପାର୍ଶ୍ୱରୁ ଉଠାଇ ଥାନାକୁ ଆଣିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି l ଦୁର୍ଘଟଣାଗ୍ରସ୍ତ କାରଟି ନିର୍ମଳ ଚନ୍ଦ୍ର ତ୍ରିପାଠୀଙ୍କ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି l