ବେତନଟୀ : ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତ ର ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୋମବାର ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚ ସ୍କୁଲ ଫାଟକରେ ତାଲା ପକାଇଲେ । ମିଳିଥିବା ସୂଚନା ମୁତାବକ, ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ କିଛି ମାସ ପୂର୍ବରୁ ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ତ୍ରିପାଠୀ ପଦୋନ୍ନତି ପାଇ ବଦଳି ହୋଇଯାଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଡେପୁଟେସନ ରେ ଅନ୍ୟ ସ୍କୁଲର ଅବସ୍ଥାପିତ କରାଯାଇଥିଲା । ବର୍ତ୍ତମାନ ସ୍କୁଲରେ ୪ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦାବି କରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହିତ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା । ତେବେ କିଛି ମାସର ବ୍ୟବଧାନରେ ଦୁଇ ଦୁଇ ଜଣ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ନେବାର ନିଷ୍ପତ୍ତିକୁ ବିରୋଧ କରି ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ପ ବିଭାଗୀୟ ଅଧିକାରୀଙ୍କ ଆଲୋଚନା ଏବଂ ପ୍ରତିଶୃତି ପରେ ଗ୍ରାମବାସୀ, ଅଭିଭାବକ ଏବଂ ପରିଚାଳନା କମିଟି ସ୍କୁଲରେ ତାଲା ପକାଇ ଆନ୍ଦୋଳନ ନିଷ୍ପତ୍ତିରୁ ଓହରି ଯାଇଥିଲେ । ମାତ୍ର ଆଲୋଚନା ଏବଂ ପ୍ରତିଶୃତି କୁ ତିନି ମାସ ବିତି ଯାଇଥିଲେ ସୁଦ୍ଧା ଜଣେ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇ ନଥିବାରୁ ସୋମବାର ସକାଳେ ଛାତ୍ରଛାତ୍ରୀ , ଗ୍ରାମବାସୀ, ଅଭିଭାବକ ଏବଂ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ଗଣ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଥିଲେ । ଏପଟେ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଜିଦରେ ଅଡି ବସିଥିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ I ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସେମାନଙ୍କ ସହିତ ସାମିଲ ମଧ୍ୟ ହୋଇଥିଲେ ପୁରୁଣିଆ ସରପଞ୍ଚ ସୁନ୍ଦର ମୋହନ ସିଂ । ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ ପାଇଁ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସୋମବାର ଦିନ ପାଇଁ ପୁରା ଠପ୍ ହୋଇଯାଇଥିଲା । ଖବର ପାଇ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ମହାନ୍ତ , ସିଆରସିସି ଶୈଳେନ୍ଦ୍ର ପଣ୍ଡାଙ୍କୁ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କ ସହ ଆଲୋଚନା କରି ଭରସା ଯୋଗ୍ୟ ପ୍ରତିଶୃତି ପ୍ରଦାନ କରିବା ପରେ ଆନ୍ଦୋଳନରତ ସମସ୍ତ ଛାତ୍ର ଛାତ୍ରୀ , ଗ୍ରାମବାସୀ , ଅଭିଭାବକ , ପରିଚାଳନା କମିଟିର କର୍ମକର୍ତ୍ତା ଧାରଣା ସ୍ଥଳରୁ ଉଠିବା ସହ ବିଦ୍ୟାଳୟର ଫାଟକ ଖୋଲିଥିଲେ ।