ବେତନଟୀ : ସାମାନ୍ୟ ଚ୍ୟାଲେଞ୍ଜ ପାଇଁ ଚାଲିଗଲା ଜୀବନ । ଚ୍ୟାଲେଞ୍ଜ କରି ଗୁଲୁଗୁଲା ଖାଉଥିବା ସମୟରେ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବା ସହିତ ଚାଲିଗଲା ଯୁବକଙ୍କ ଜୀବନ । ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ହେଉଛନ୍ତି ଦାନ୍ତିଆମୁହାଁ ଗ୍ରାମର ସ୍ବର୍ଗତଃ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶ ଚନ୍ଦ୍ର ମହାନାୟକ(୪୨) । ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିବା ବେଳେ ସେଠାରେ ଚ୍ୟାଲେଞ୍ଜ କରି ଗୁଲୁଗୁଲା ଖାଉଥିବା ବେଳେ ତଣ୍ଟିରେ ଲାଗି ଅଟକି ରହିଯାଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇ ଛଟପଟ ହେବା ସହ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ । ଏହାପରେ ସ୍ଥାନୀୟ ଲୋକେ ଉଦ୍ଧାରକରି ବାରିପଦା ଡାକ୍ତରଖାନା ନେଇଥିଲେ ସୁଦ୍ଧା ସେଠାରେ କାର୍ଯ୍ୟରତ ଡାକ୍ତର ଶିରୀଶଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏନେଇ ସୋମବାର ମୃତକଙ୍କ ପରିବାରଲୋକଙ୍କ ଏତଲାକ୍ରମେ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଲମ୍ବୋଦର ମହାନ୍ତ ୫୯/୨୩ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶଵ ବ୍ୟବଚ୍ଛେଦ କରାଇଛନ୍ତି । ତେବେ ଚ୍ୟାଲେଞ୍ଜରେ ସାମାନ୍ୟ ଗୁଲୁଗୁଲା ଖାଉଥିବା ବେଳେ ତଣ୍ଟିରେ ଲାଗିଯିବା ଯୋଗୁଁ ମୃତ୍ୟୁ ହୋଇଯିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।