ବେତନଟୀ : ପ୍ରତି ସାଧାରଣ ନିର୍ବାଚନର ୫/୬ ମାସ ପୂର୍ବରୁ କେତେ ସମାଜସେବୀ ମାନେ ସମାଜସେବା କରିବା ପାଇଁ ପ୍ରତି ଗ୍ରାମମାନଙ୍କରେ ଗଳିକନ୍ଦିରେ ରହୁଥିବା ଦୁଃଖି ଦରୀଦ୍ରମାନଙ୍କୁ ଖୋଜି ଖୋଜି କିଛି ସାହାଯ୍ୟ କରିବା ବାହାନାରେ ଫଟୋ ଉଠାଇ ନିଜର ଦାୟିତ୍ଵ ବୋଧତା ଦେଖାଇ ଥାଆନ୍ତି। ବଡସାହି ବିଧାନସଭା କ୍ଷେତ୍ରରେ ଏଭଳି କିଛି ବିଚିତ୍ର ସଂଯୋଗ/ବିଯୋଗ ଦେଖିବାକୁ ମିଳିଛି ।ପାର୍ବଣ ଋତୁ ଆରମ୍ଭରୁ ଆଶାୟୀ ମାନଙ୍କ ତୋରଣ ମାଳା ଜାଗା ଜାଗାରେ ଝଲସୁଛି। ଏହି ବଡ ବଡ ହୋଡିଂରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ସମସ୍ତ ଭାଇ .ଭଉଣୀ ଓ ଗୁରୁଜନ ମାନଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଲେଖି ଭାବି ନେଇଛନ୍ତି ଆମେ ମନ କିଣି ନେଇଛୁ। ମାତ୍ର ଗୋଟିଏ ଦଳର ଜଣଙ୍କୁ ଟିକେଟ ମିଳିବା ନିଶ୍ଚିତ ଥିବାବେଳେ ଡଜନେ ଆଶାୟୀ ବଡ ବଡ ହୋଡିଂ ଲଗାଇଥିବାର ଦେଖାଯାଇଛି। ତେବେ କିଏ କେଉଁ ଦଳର ପ୍ରାର୍ଥୀ ହେବ,କିଏ ସ୍ଵାଧୀନ ତ ଆଉ କିଏ ଧାମନଗର ର ରାଜୁ ଦାସ ପାଲଟିବ ତାହା ସମୟ କହିବ । ତେବେ ବର୍ତ୍ତମାନ ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର ଏବଂ ଜିଲ୍ଲାପରିଷଦ ସଦସ୍ୟ ଜଗନ୍ନାଥ ମଲ୍ଲିକ ଓ ଲଲାଟେନ୍ଦୁ ବେହେରା ସମସ୍ତେ ଶାସକ ବିଜେଡି ଦଳର ସଦସ୍ୟ ଥିଲେ ମଧ୍ୟ କିଏ ଶାସକ ଦଳର ଟିକେଟ ନେବ ଆଉ କିଏ ଭାରତୀୟ ଜନତା ପାର୍ଟିର ଟିକେଟ ପାଇବ ସେଥିପାଇଁ ଦଳର ହାଇକମାଣ୍ଡ ଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ଦଳୀୟ କର୍ମୀଙ୍କ ସୂତ୍ରରୁ ଖବର ହସ୍ତଗତ ହୋଇଛି। ଯଦି ଏହି ଆସନଟି ମହିଳା (ସଂ) ହୁଏ ତେବେ ପାଞ୍ଚଜଣ ଆଶାୟୀଙ୍କ ମଧ୍ୟରେ ସଂଯୁକ୍ତା ପାତ୍ର, ଅନୁସୟା ପାତ୍ର, ଅନୁପମା ଦଣ୍ଡପାଟ, ଅଞ୍ଜନା ବେହେରା , ସସ୍ମିତା ବେହେରା, ଅନୀତା ସେଠୀ ପ୍ରମୁଖ ଦାବିଦାର ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଅନ୍ୟ ପୁରୁଷ ଆଶାୟୀଙ୍କ ମଧ୍ୟରେ ଅଭିନ୍ନ ସୁନ୍ଦର ପାତ୍ର, ଦୀପକ ପାତ୍ର, ଯାମିନୀକାନ୍ତ ନାୟକ,କରମଚାନ୍ଦ କାଳିନ୍ଦୀ,ବୃନ୍ଦାବନ ଦାସ,ବିକାଶ ଚନ୍ଦ୍ର ସେଠୀ, ପ୍ରମୂଖ ଟିକେଟ ପାଇବାପାଇଁ ସମାଜସେବାରେ ଲାଗିପଡିଛନ୍ତି । ମାତ୍ର ବର୍ତ୍ତମାନର ବିଜେପି ବିଧାୟକ ସନାତନ ବିଜୁଳି ମଧ୍ୟ ବଡ ବଡ ହୋଡିଂ ଲଗାଇ ଜନତାଙ୍କ ସହିତ ଅଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନରେ ପୁଣି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବାର ଆଶାବାଦୀ ଅଛନ୍ତି। ଏହାବ୍ୟତୀତ କଂଗ୍ରେସ ଦଳର ଏକ ମାତ୍ର ଆଶାୟୀ ଭାବେ କ୍ଷୀରୋଦ ଚନ୍ଦ୍ର ପାତ୍ର କିଛି କର୍ମୀ ମାନଙ୍କୁ ଧରି ଗାଁ ଗାଁ ବୁଲି ଚାଲିଛନ୍ତି।