ବେତନଟୀ : ବେତନଟୀ ବ୍ଲକର ରାତ୍ରି ଜଗୁଆଳ ର ଗତ କାଲି ଅର୍ଥାତ ରବିବାର ରାତିରେ ଡ୍ୟୁଟି ରେ ଥିବା ସମୟରେ ବ୍ଲକ ଅଫିସର ମୁଖ୍ୟ ଫାଟକ ନିକଟରେ ସନ୍ଦେହଜନକ ଅବସ୍ଥାରେ ମୃତ ଶରୀର ପଡ଼ିଥିବାର ସୋମବାର ସକାଳେ ଦେଖା ଯାଇଥିଲା। ମୃତ ରାତ୍ରି ଜଗୁଆଳ ଦାନ୍ତିଆ ମୁହାଁ ଗ୍ରାମର ଟୁଣିଆ ସିଂ ର ପୁଅ ବୁଦ୍ଧୁ ସିଂ( ୪୦)ବୋଲି ଜଣାଯାଇଛି । ତେବେ ମୁଁହ ରେ ଆଘାତ ଲାଗିଥିବା ଏବଂ ନାକରୁ ରକ୍ତ ବାହାରୁଥିବା ଦେଖାଯିବା ବ୍ୟତୀତ ଅନ୍ୟ କୌଣସି ଆଘାତ ଲାଗିଥିବାର ଦେଖାଯାଇ ନ ଥିଲା। ବେତନଟୀ ପୁଲିସ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖି ଥିଲେ ହେଁ ଏହି ସମ୍ବାଦ ଲେଖା ଯିବା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ସଠିକ କାରଣ ଜଣା ପଡିନାହିଁ। ମୃତକ ର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ରୁ ଏହି ଅପମୃତ୍ୟୁ ର କାରଣ ଜଣା ପଡିବ ବୋଲି କୁହା ଯାଇଛି। ବେତନଟୀ ବିଡିଓ ନିର୍ଲିପ୍ତା ମହାନ୍ତିଙ୍କ ଏତଲା ମୂଳେ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତ ତଦନ୍ତ କରିବା ସହିତ ବେତନଟୀ ପୋଲିସ ଏସଡିପିଓ ସୁଦର୍ଶନ ଦାଶ ମଧ୍ୟ ଘଟଣା ର ତଦାରଖ କରିଥିଲେ। ତେବେ ବ୍ଲକ କାର୍ଯ୍ୟାଳୟରେ ଲାଗିଥିବା ସିସି ଟିଭି ଫୁଟେଜ ରୁ କିଛି ସୂଚନା ମିଳି ପାରିନାହିଁ। ସବୁଦିନ ଭଳି ରବିବାର ରାତି ବୁଧୁ ବ୍ଲକ ରେ ପହଞ୍ଚି ଥିଲା | ମାତ୍ର ସୋମବାର ସକାଳୁ ତାର ମୃତ୍ୟୁ ଶରୀର ମିଳିବା ପରେ ସମଗ୍ର ବ୍ଲକ ରେ ଶୋକ ର ଛାୟା ଖେଳି ଯାଇଛି | ସକାଳୁ ମୃତକଙ୍କ ପତ୍ନୀ ଙ୍କ ସମେତ ପରିବାର ଲୋକ ଘଟଣା ସ୍ଥଳ ରେ ପହଞ୍ଚି ଥିଲେ | ବ୍ୟବଚ୍ଛେଦ ପରେ ମୃତ ଦେହ କୁ ପରିବାର ଲୋକଙ୍କୁ ହସନ୍ତାର କରାଯାଇଛି |