ବେତନଟୀ : ବିଭିନ୍ନ ସମୟରେ ମୂଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ, ଦଳୀୟ ନେତୃବୃନ୍ଦ ସବୁ ସମୟରେ ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ ପରିବର୍ତ୍ତନ ହେବା ନିମନ୍ତେ (ସିଏଚସି /ଟ୍ରମାକେୟାର) ସ୍ଥାପନା ନେଇ ଦୃଢ଼ ପ୍ରତିଶୃତି ଦେଉଥିଲେ ମଧ୍ୟ ତାହା ବୈଶିଙ୍ଗା ଅଞ୍ଚଳବାସୀ ଙ୍କ ପାଇଁ ଧୂଆଁ ବାଣ ସଦୃଶ ହୋଇଛି l ଶେଷ ଥର ପାଇଁ ସଚିବଙ୍କ ମୟୁରଭଞ୍ଜ ଗସ୍ତ ସମୟରେ ସ୍ଥାନୀୟ ଖୁଣ୍ଟାପୁର ପଡିଆରେ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟଙ୍କ ଦ୍ୱାରା ବୈଶିଙ୍ଗାରେ ଟ୍ରମାକେୟାର ୟୁନିଟ ସ୍ଥାପନ ନିମନ୍ତେ ଏକ ଲିଖିତ ଦାବୀପତ୍ର ଦିଆଯାଇଥିଲା l ମାତ୍ର ସେଠାରେ ସଚିବ ଏହାର ଉତ୍ତର ଏକ ମାସ ଭିତରେ ସ୍ଥାନୀୟ ଜିଲ୍ଲାପାଳଙ୍କ ମାଧ୍ୟମରେ ଜଣାଇବେ ବୋଲି କହିଥିଲେ l ମାସେ ବିତିଯାଇଥିଲେ ବି କୌଣସି ଉତ୍ତର ନଆସିବାରୁ ପରିଷଦର ସଦସ୍ୟ ଗତ ସପ୍ତାହ ଗୁରୁବାର ବାରିପଦା ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ବି ଜିଲ୍ଲାପାଳ ତାଙ୍କ ନିକଟରେ ଏବାବଦରେ କୌଣସି ତଥ୍ୟ ନାହିଁ ବୋଲି ପ୍ରକାଶ କରିଥିଲେ l ଯାହା ବୈଶିଙ୍ଗା ଅଞ୍ଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ମନେ ହୋଉଛି l ଆଞ୍ଚଳିକ ବିକାଶ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ସଦସ୍ୟ ନିଜର କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଡାକ୍ତରଖାନାର ଉନ୍ନତିକରଣ ନେଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବା ନେଇ ଦୃଢ଼କ୍ତି ପ୍ରକାଶ ପାଇଥିଲା l ପରେ ସମସ୍ତ ସଦସ୍ୟଙ୍କ ଅନୁମୋଦନ କ୍ରମେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଅଗଣିତ ବୃଦ୍ଧ ବନିତାଙ୍କୁ ଏକତ୍ରିତ କରି ବୈଶିଙ୍ଗା ଡାକ୍ତରଖାନା ସମ୍ମୁଖରେ ଅହରାତ୍ର ଅନଶନରେ ବସିବାରେ ନିଷ୍ପତି ନିଆଯାଇଥିଲା l ଏନେଇ ଅନଶନ ନିମନ୍ତେ ଏକ ସ୍ମାରକ ପତ୍ର ମଙ୍ଗଳବାର ମୟୁରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ଅରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ବେତନଟୀ ବିଡ଼ିଓ, ତହସିଲଦାର, ଏସଡିପିଓ ଓ ବୈଶିଙ୍ଗା ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l