ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବେତନଟୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଅଚାନକ ଗସ୍ତ : ବିଳମ୍ବରେ ଆସିଥିବା କର୍ମଚାରୀ ମାନଙ୍କୁ ତାଗିଦ କଲେ
ବେତନଟୀ : ଗୁରୁବାର ପୂର୍ବାହ୍ନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଅଚାନକ ଭାବେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ଟା ବେଳକୁ ପହଞ୍ଚି ଯାଇଥିଲେ l ହେଲେ ଦୁର୍ଭାଗ୍ୟବଶତଃ ସେତେବେଳକୁ କାର୍ଯ୍ୟାଳୟ ପରିସରରେ କେବଳ ଏବିଓ ରମାକାନ୍ତ ମହାନ୍ତ ଓ ଏମଆଇଏସ ସଂଯୋଜକ ଅଚ୍ୟୁତାନନ୍ଦ ଦାଶଙ୍କ ବ୍ୟତୀତ ଅନ୍ୟ ସମସ୍ତ ୯ଜଣ କର୍ମଚାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ l ପରେ ଅନ୍ୟ କର୍ମଚାରୀ ମାନେ ବିଳମ୍ଭରେ ଜଣ ଜଣ କରି ଆସି ପହଞ୍ଚିଥିଲେ l ଯେଉଁଥିପାଇଁ ଉକ୍ତ ବିଇଓ କାର୍ଯ୍ୟାଳୟରେ ବିଳମ୍ବରେ ପହଞ୍ଚିଥିବା ତଥା ଅନୁପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ କୈଫିୟତ ତଲବ କରିବା ପ୍ରଥମ ଭୁଲ ପାଇଁ କ୍ଷମା ପ୍ରଦାନ ପୂର୍ବକ ସତର୍କ ସୂଚନା ଦେଇଛନ୍ତି l ଆଗାମୀ ଦିନରେ ଏଭଳି ହେଲେ ଦରମା ବନ୍ଦ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀଯୁକ୍ତ ସେଠୀ ପ୍ରକାଶ କରିଥିଲେ । ଅନୁରୂପ ଭାବେ ବିଇଓ ଅଫିସ ପରିସରରେ ଥିବା ଏମପିସି ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନରେ ଯାଇଥିଲେ ଓ ଦେଖିବାକୁ ପାଇଥିଲେ କି ସେଠାରେ ସମସ୍ତ ଶିକ୍ଷକ ଉପସ୍ଥିତ ଥିବାବେଳେ କେବଳ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଅନୁପସ୍ଥିତ ଥିଲେ l ତାଙ୍କୁ ମଧ୍ୟ ଶ୍ରୀଯୁକ୍ତ ସେଠୀ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ନେଇ ଜଣାଯାଇଛି l ପରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସେଠୀ ଶ୍ରେଣୀ ଗୃହକୁ ଯାଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହିତ ବେଶ କିଛି ସମୟ ବିତାଇଥିଲେ।