ବେତନଟୀ : ସନ୍ଧ୍ୟା ସମୟରେ ଟିଭି ଦେଖି ଘରକୁ ଫେରୁଥିବା ବେଳେ ନାବାଳିକା ଶାଳୀ କୁ ସଂପର୍କୀୟା ଭିଣୋଇ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ନେଇ ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ବୈଶିଙ୍ଗା ଥାନା ଅଧୀନ ଜନୈକା ୧୬ ବର୍ଷ ବୟସର ନାବାଳିକା ଶାଳୀ ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲା। ସନ୍ଧ୍ୟା ସମୟରେ ସେ ଘରକୁ ଫେରୁଥିବା ବେଳେ ସମ୍ପର୍କୀୟ ଭିଣୋଇ ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ କୁଞ୍ଚିବଣିଆ ଗ୍ରାମର ପୁନ ସିଂ(୩୫) ନାବାଳିକାର ପାଟିକୁ ଚାପିଧରି ପାଖରେ ଥିବା ଏକ ଜଳାଶୟ ପଛପଟକୁ ଉଠାଇ ନେଇଥିଲା। ସେଠାରେ ସେ ଦୁଷ୍କର୍ମ କରିବା ସହିତ ଘଟଣା ବାବଦରେ କାହା ଆଗରେ ପ୍ରକାଶ ନକରିବାକୁ ପୀଡ଼ିତାଙ୍କୁ ଧମକ ମଧ୍ୟ ଦେଇଥିଲା। ଏନେଇ ଗାଁରେ ଏକ ବୈଠକ ବସିଥିଲେ ସୁଦ୍ଧା ସମାଧାନର କୌଣସି ବାଟ ବାହାରି ପାରିନଥିଲା। ଶେଷରେ ପୀଡିତାଙ୍କ ପରିବାର ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଏତଲା କ୍ରମେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇକୁ ଗିରଫ କରିଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ବୈଶିଙ୍ଗା ପୁଲିସ।
