ବେତନଟୀ : ବେତନଟୀ ଥାନା ଅଧୀନ ଇନ୍ଦିରାନଗର ସ୍ଥିତ ରେଳଫାଟକକୁ ରେଳ ବିଭାଗ ପକ୍ଷରୁ ସବୁଦିନ ପାଇଁ ବନ୍ଦ କରିଦିଆଯିବା ପ୍ରତିବାଦରେ ବୁଧବାର ପୂର୍ବାହ୍ନ ସମୟରେ ବାଙ୍ଗିରିପୋଷି -ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନକୁ ଘଣ୍ଟାଏ ଧରି ଅଟକ ରଖିଲେ ସ୍ଥାନୀୟ ଲୋକ l ସୂଚନା ଅନୁଯାଇ ଇନ୍ଦିରାନଗର ରେଳଫାଟକ ପାର କରି ଦୈନିକ ଶହ ଶହ ଅଞ୍ଚଳବାସୀଙ୍କ ସମେତ ଶତାଧିକ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଯାତାୟାତ କରିଥାଆନ୍ତି l ମାତ୍ର ରେଳ ବିଭାଗ ପକ୍ଷରୁ ଏହି ଫାଟକର ଉଭୟ ପାର୍ଶ୍ଵକୁ ଖୋଳିଦେବା ଫଳରେ ଲୋକଙ୍କ ଯିବା ଆସିବାକୁ ବନ୍ଦ କରିଦିଆଯାଇଥିଲା l ତେବେ ଏହି ରେଳ ଫାଟକକୁ ସ୍ଥାୟୀ ଭାବରେ ବନ୍ଦ କରାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଏହା ଉଗ୍ରରୂପ ନେଇଥିଲା l ଆଜି ପୂର୍ବାହ୍ନ ସମୟରେ ସ୍ଥାନୀୟ ଶତାଧିକ ପୁରୁଷ ଏବଂ ମହିଳା ଭୁବନେଶ୍ୱର ଯାଉଥିବା ବାଙ୍ଗିରିପୋଷି – ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନକୁ ଇନ୍ଦିରାନଗର ରେଳଫାଟକ ନିକଟରେ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଖବର ପାଇ ବେତନଟୀ ଏସଡ଼ିପିଓ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କ ସହିତ ଦୀର୍ଘ ସମୟର ଆଲୋଚନା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା । ପରେ ଉକ୍ତ ଟ୍ରେନଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା l ତେବେ ଅଘୋଷିତ ରେଳରୋକ ପାଇଁ ଟ୍ରେନରେ ଯାତ୍ରା କରୁଥିବା ଶତାଧିକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା।