ଵ୍ରହ୍ମପୁର ୩୧/୮ : ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପୁଣି ଆଉ ଜଣଙ୍କ ଜୀବନ ନେଇଛି।ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଜେନାପୁର ଗ୍ରାମର ଲକ୍ଷ୍ମଣ ବେହେରା(୫୨) ଶୁକ୍ରବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ବିଷାକ୍ତ ମଦ ପିଇବା ଘଟଣାରେ ଲକ୍ଷ୍ମଣଙ୍କୁ ମିଶାଇ ଏଯାବତ ୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେପଟେ ଏମ୍କେସିଜିରେ ଆହୁରି ୬ଜଣ ଚିକିତ୍ସାଧୀନ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇସିୟୁରେ ରଖାଯାଇଛି।
ଚିକିଟି ଏନ୍ଏସି ଜେନାପୁରର କିଛି ଲୋକ ଗତ ୧୯ତାରିଖରେ ମାଉନ୍ଦପୁର ଗାଁକୁ ଯାଇ ରନ୍ଧାମଦ ପିଇଥିଲେ। ଏହାପରେ ରାତିରେ ପ୍ରାୟ ୨୩ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ଝାଡ଼ାବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା। ଏଣୁ ସମସ୍ତଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କିଛି ଜଣଙ୍କୁ ଡିସ୍ଚାର୍ଜ କରାଯାଇଥିବା ବେଳେ ୧୫ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତ ୨୧ତାରିଖ ବିଳମ୍ବିତ ରାତିରେ ଜେନାପୁରର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବିଷାକ୍ତ ମଦମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାକୁ ନେଇ ବିଜେପି-ବିଜେଡି ଉଭୟଙ୍କୁ ଦୋଷାରୋପ କରିଥିଲେ। ଉଭୟ ଦଳର ନେତା ଓ ମନ୍ତ୍ରୀ ଏମ୍କେସିଜି ମେଡିକାଲରେ ପହଞ୍ଚି ଗୁରୁତର ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଲକ୍ଷ୍ମଣଙ୍କ ସହିତ ୩ଜଣ ଆଇସିୟୁରେ ଚିକିତ୍ସାଧୀନ ରହିଥିଲେ। ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଜେନାପୁର ଗ୍ରାମରେ ଶୋକର ବାତାବରଣ ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଆଜି ଜେନାପୁର ଗ୍ରାମରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶୋକାକୁଳ ପରିବେଶରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତିନିଜଣ ମୃତକଙ୍କ ପରିବାରବର୍ଗଙ୍କୁ ୨୦ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
