Odisha news

ଭିଜିଲାନ୍ସ ଜାଲ୍‌ରେ କୋଟିପତି ବିଇଓ , ଘରୁ ମିଳିଲା ସାଢ଼େ ୬ଲକ୍ଷ ନଗଦ

0
ବ୍ରହ୍ମପୁର, ୩୧/୮ : ଭିଜିଲାନ୍ସ ଜାଲରେ ଆଜି ଜଣେ କୋଟିପତି ବିଇଓ ଛନ୍ଦି ହୋଇଛନ୍ତି।  ଗଂଜାମ ଜିଲ୍ଲା ଛତ୍ରପୁରରେ ବିଇଓ ଭାବେ କାର୍ଯ୍ୟରତ ଥିବା ସୀତାରାମ ପାତ୍ର ଶେ‌ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଦୁର୍ନୀତିମୂଳକ କାର୍ଯ୍ୟ ନେଇ ବିଗତ ଦିନରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଅନୁସାରେ ଭିଜିଲାନ୍ସ ବିଭାଗ ବିଇଓ ସୀତାରାମଙ୍କ ଖୋଡ଼ାସିଙ୍ଗି ରାମକୃଷ୍ଣନଗର ସପ୍ତମ ଲାଇନ୍‌ରେ ଥିବା ଦୁଇ ମହଲା ଘର, ଛତ୍ରପୁର ସ୍ଥିତ ଅଫିସ୍‌ ସମେତ ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଭିଜିଲାନ୍ସ ବିଭାଗର ତଦନ୍ତ ଚାଲିଥିବା ବେଳେ ବିଇଓ ସୀତାରାମଙ୍କ ନାମରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଥିବା ନେଇ ଆକଳନ କରାଯାଇଛି। ଯାଞ୍ଚ ସରିବା ପରେ ଚୂଡ଼ାନ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଆଜି ସକାଳ ଭିଜିଲାନ୍ସ ବିଭାଗର ୬ଟି ଟିମ୍‌ ଏକକାଳୀନ ଭାବେ ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ଖୋଡ଼ାସିଙ୍ଗି ସ୍ଥିତ ଘର, ଶରଧାବାଲି ବିଜୟ ଟାୱାର୍‌ ସ୍ଥିତ ଏକ ଫ୍ଲାଟ୍‌, ପୋଲସରାରେ ଥିବା ଏକ ଦୁଇ ମହଲା ଘର ଓ ଆଉ ଏକ ଘର ଏବଂ ବ୍ରହ୍ମପୁର କଳିଙ୍ଗ ନଗର ସ୍ଥିତ ସମ୍ପର୍କୀୟ ଘରେ ଚଢ଼ଉ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ହୋଇଥିବା ଯାଞ୍ଚରେ ବିଇଓ ସୀତାରାମଙ୍କ ନାମରେ ଖୋଡ଼ାସିଙ୍ଗି ଓ ପୋଲସରାରେ ରହିଥିବା ୩ଟି ଘର, ଖୋଡ଼ାସିଙ୍ଗିରେ ଥିବା ଏକ ୨ହଜାର ବର୍ଗଫୁଟର ପ୍ଲଟ୍‌ ରହିଛି। ସେହିପରି ୬ଲକ୍ଷ ୫୦ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ ବ୍ୟାଙ୍କ ଜମା ଓ ବୀମା ବାବଦରେ ୩୫ଲକ୍ଷ ୬୧ହଜାର ଟଙ୍କା ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଏହା ସହିତ ତାଙ୍କ ନାମରେ ଏକ କାର୍‌ ଓ ଦୁଇଟି ବାଇକ୍‌ ରହିଥିବା ସୂଚନା ଦିଆଯାଇଛି। ଏହି ଚଢ଼ଉରେ ୫ଜଣ ଡିଏସ୍‌ପି, ୪ଜଣ ଇନ୍‌ସ୍ପେକ୍ଟର୍‌ ଓ ୫ଜଣ ଏସ୍‌ଆଇ/ଏଏସ୍ଆଇ ପ୍ରମୁଖ ସାମିଲ ଥିଲେ।
Nalco
Leave A Reply