କନିସି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆଉ ଏକ ୮୬ ଲକ୍ଷ ଟଙ୍କାର ଜମି ଘୋଟଲା ଆସନ୍ନ ପ୍ରସନ୍ନ : ଜାଲିଆତିର ପେଣ୍ଠସ୍ଥଳୀ ପାଲିଟିଛି କନିଷି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ
ବ୍ରହ୍ମପୁର: ୨୧/୧୧/୨୦୨୩: କନିଷି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଗତ ଅକ୍ଟୋବର ମାସରେ ହୋଇଥିବା ୩୫ ଲକ୍ଷ ଟଙ୍କାର ଜମି ହଡ଼ପ ଘୋଟଲା ମାମଲା ମନରୁ ନଲିଭୁଣୁ ପୁଣି ସେହି ଏକା ଦିନରେ ଆଉ ଏକ ୮୬ ଲକ୍ଷ ଟଙ୍କାର ଜମି ଘୋଟଲା ନଜରକୁ ଆସିଛି ।
ସୂଚନାଯୋଗ୍ୟ, ଚାନ୍ଦପୁର ଗ୍ରାମ ଓ ମଉଜାରେ ଖାତା ନଂ ୧୨୬ ପ୍ଲଟ ନଂ ୧,୨ ଓ ୭ ରେ ମୃତ ଟିକଲ ସାହୁଙ୍କ ନାମରେ ଥିବା ରକବା ଏକର ୧.୩୫୦ ଡିସିମିଲ ଜମି ୧୯୫୯ ମସିହାରେ ବ୍ରହ୍ମପୁରର ଜଣଙ୍କୁ ବ୍ରହ୍ମପୁର ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କବଲା ହୋଇ ବିକ୍ରି ହୋଇ ଯାଇଅଛି । ମାତ୍ର ଜ୍ଞାତରେ କି ଅଜ୍ଞାତରେ ହେଉ କ୍ରୟ କରିଥିବା ଲୋକ ତା ନାମରେ ପଟା କରିପାରିନଥିଲେ ଯାହାଦ୍ଵାରା ଉକ୍ତ ଜମିଟି ଆଜି ପର୍ଯ୍ୟନ୍ତ ମୃତ ଟିକଲ ସାହୁଙ୍କ ନାମରେ ରହି ଆସୁଅଛି । କାଳକ୍ରମେ କ୍ରୟ କରିଥିବା ବ୍ୟକ୍ତି ଜଣଙ୍କ ତାହାର ମରଣ ସମୟରେ ସେହି ଚାନ୍ଦପୁର ଗ୍ରାମରେ ବାହା ହୋଇଥିବା ତାହାର ନାତୁଣୀକୁ
ମଉଖିକ ଭାବେ ଦାନ ସୂତ୍ରରେ ଦେଇ ସେହି ଜମିର ଆଦାୟ, ସ୍ଵତ୍ତ୍ଵ ଓ ମୂଲ୍ୟ ବିନା ଦ୍ବିଧାରେ ଓ ବିବାଦରେ ଉପଭୋଗ କରିବାକୁ ଇଛା ପ୍ରକାଶ କରିଥିଲେ, ଯାହାଦ୍ଵାରା ଉକ୍ତ ନାତୁଣୀ ଗତ ପଚାଶରୁ ଉର୍ଦ୍ଧ୍ବ ବର୍ଷ ହେବ ସେହି ଜମିକୁ ଭୋଗ ଦଖଲରେ ରଖି ଉକ୍ତ ଜମିରୁ ଉଦ୍ଧୃତ ଆଦାୟରେ ଜୀବନଯାପନ କରୁଥିଲେ । ମାତ୍ର ଆଶ୍ଚର୍ଯ୍ୟର ବିଷୟ ସେହି ଜମିଟି ପ୍ରକୃତ ଭୋଗ ଦଖଲକାରୀଙ୍କ ଅଜ୍ଞାତରେ ଓ ବିନା ସ୍ଵିକୃତି/ସମ୍ମତି ଦସ୍ତଖତରେ ମୃତ ଟିକଲ ସାହୁଙ୍କ ଉତ୍ତରାଧିକାରୀ ମାନଙ୍କ ସହିତ ଓ ଅନ୍ୟ ଜଣେ ସମ୍ପର୍କୀୟକୁ ଭୋଗ ଦଖଲକାରୀ ଦର୍ଶାଇ ଖଣ୍ଡ ଖଣ୍ଡ ଭାବରେ ଗତ ଅକ୍ଟୋବର ୪ ତାରିଖରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସାତ ଜଣଙ୍କ ବିଭିନ୍ନ ନାମରେ ବିକ୍ରିବଟା ହୋଇଯାଇଛି ଓ ଉକ୍ତ ଜମିର ଚିତ୍ର, ଚରିତ୍ର ଓ ପରିଚୟ ବଦଳାଇ ପ୍ଲଟ ଆକାରରେ ବିକ୍ରିବଟା ପାଇଁ କ୍ଷେତ୍ର ପ୍ରସ୍ତୁତି ହୋଇ ସାରିଛି । ପରେ କୋୖଣସି ସୂତ୍ରରୁ ଖବର ପାଇ ତାଙ୍କ ପରିବାର ଲୋକେ ଯେତେବେଳେ ଖୋଳତାଡ଼ କଲେ ଯାଣିବାକୁ ପାଇଲେ ଯେ, ଉକ୍ତ ପ୍ରକୃତ ଭୋଗ ଦଖଲକାରୀ ଦଲିଲ୍ ପଞ୍ଜିକରଣ ଦିନ ଉପସ୍ଥିତ ନଥାଇ ତାଙ୍କ ଦସ୍ତଖତକୁ ଜାଲିଆତି କରି ଅନ୍ୟ କିଏ ଜଣେ ସନ୍ତକ କରି ଦୁଇ ନମ୍ବର ସାକ୍ଷୀ ଭାବେ ନିଆଯାଇଛି । କୋୖତୁହଳର ବିଷୟ, ଅପରାଧୀ ଅପରାଧ କଲାବେଳେ କୋୖଣସି ନା କୋୖଣସି ଜାଗାରେ ଅପରାଧର କାଣିଚାଏ ସୁରାକ ଛାଡ଼ି ଗଲା ଭଳିଆ, ଉକ୍ତ ପ୍ରକୃତ ଭୋଗ ଦଖଲକାରୀ ସବୁ ସମୟରେ ଓ ସବୁ ଜାଗାରେ ଇଂରାଜୀରେ ଦସ୍ତଖତ କରୁଥିବା ବେଳେ ତାଙ୍କର ଦସ୍ତଖତକୁ ଓଡ଼ିଆରେ କରାଯିବା ସହିତ ରମାରାଣୀ ପାତ୍ର ବଦଳରେ ରୋମାରାଣୀ ପାତ୍ର ବୋଲି ଦସ୍ତଖତ ନିଆ ଯାଇଛି । ତେଣୁ, ତାଙ୍କର ପରିବାର ସଦସ୍ୟମାନେ ସେହି ମୂଲ୍ୟବାନ ଜମି ଫେରି ପାଇବା ପାଇଁ ଜମିଜମା ସଂପର୍କିତ ବିଭିନ୍ନ ସରକାରୀ ଦପ୍ତର ଓ ପୋଲିସ ପାଖରେ ଅଭିଯୋଗ କରି ଉକ୍ତ ବିବାଦୀୟ ଜମି କ୍ରୟ କରିଥିବା ଲୋକ ମାନଙ୍କ ନାମରେ ପଟ୍ଟା ନକରିବା, ଗତ ଅକ୍ଟୋବର ଚାରି ତାରିଖରେ ହୋଇଥିବା ପଞ୍ଜିକରଣ କୁ ସମ୍ପୂର୍ଣ୍ଣ ରଦ୍ଦ କରିବା ଓ ଅଭିଯୋଗର ବିଧିବଦ୍ଧ ତଦନ୍ତ କରି ଏହି ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇରେ ପରୋକ୍ଷରେ ଓ ପ୍ରତ୍ୟକ୍ଷରେ ସମ୍ପୃକ୍ତି ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ ଆଇନଗତ ଓ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।