ଵ୍ରହ୍ମପୁର ୭/୫- ସଦର ଥାନା ଅନ୍ତର୍ଗତ ଭାରତ ପେଟ୍ରୋଲ ପମ୍ପ ଓ ରତ୍ନପୁର ମଧ୍ୟରେ ଦୁଇଜଣ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୂଟେରା ମାନେ ତାଙ୍କ ପକେଟରେ ଥିବା ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଅଭିଯୋଗ ପରେ ପୋଲିସ ଏସଂକ୍ରାନ୍ତରେ ୨୪୮/୨୩ ରେ ଏକ ଲୂଟ ମାମଲା ରୁଜୁ କରିଛି। ଗତ ଦୁଇଦିନ ଧରି ପୋଲିସ ଅଭିଯୋଗକାରୀଙ୍କୁ ଧରି ଘଟଣା ସ୍ଥଳରେ ଛାନଭିନ କରିଥିଲେ ମଧ୍ୟ କୌଣସି ସଫଳତା ଏଯାବତ ମିଳିପାରିନଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଅଙ୍କୁଶପୁର ନିକଟ ରାଇଝୋଳ ଗ୍ରାମର ନିର୍ମାଲ୍ୟ ସାହୁ ଵ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନରେ କାମ କରନ୍ତି। ଗତ ୪ ତାରିଖ ରାତ୍ର ଦୋକାନ ବନ୍ଦ ହେବା ପରେ ସେ ତାଙ୍କ ଗ୍ରାମର ଜଣେ ଯୁବକ ଅସିଲି ସାହୁଙ୍କୁ ଆଣିବା ପାଇଁ ଵ୍ରହ୍ମପୁର ରେଳଷ୍ଟେସନ ଯାଇଥିଲେ। ଆସିଲି ଆନ୍ଧ୍ରପ୍ରଦେଶ ଏଲୁରୁରେ ଏକ କମ୍ପାନୀରେ କାମ କରୁଥିବା ବେଳେ ସେ କୌଣସି କାମରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ଘରକୁ ଫେରୁଥିଲେ। ୪ତାରିଖ ମଧ୍ୟରାତ୍ରରେ ଟ୍ରେନ ଵ୍ରହ୍ମପୁରରେ ପହଞ୍ଚିଥିଲା। ଅସିଲି କୁ ଧରି ସେ ନିଜ ବାଇକରେ ଗ୍ରାମକୁ ଫେରୁଥିଲେ। ରାସ୍ତାରେ ଏକ ପେଟ୍ରୋଲ ପମ୍ପ ନିକଟରେ ରାତ୍ର ପ୍ରାୟ ଗୋଟାଏ ବେଳେ ୪ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ। ନିର୍ମାଲ୍ୟ ଓ ତାଙ୍କ ସାଙ୍ଗ ଭୟଭୀତ ହୋଇଯାଇଥିବା ବେଳେ ତାଙ୍କୁ ନାମରିବାକୁ ସେମାନେ ଦୁର୍ବୃତ୍ତ ମାନଙ୍କୁ ଅନୁରୋଧ କରିଥିଲେ। ଦୁର୍ବୃତ୍ତମାନେ ନିର୍ମାଲ୍ୟଙ୍କ ପକେଟରେ ଥିବା ୧ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଲୁଟି ନେଇଥିବା ବେଳେ ତାଙ୍କ ସାଙ୍ଗ ଅସିଲିଙ୍କ ନିକଟରୁ ୭୦୦ ଟଙ୍କା ଓ ଗୋଟିଏ ମୋବାଇଲ ଲୁଟି ନେଇଥିଲେ। ପରେ ସେମାନେ ନିର୍ମାଲ୍ୟ ଓ ତାଙ୍କ ସାଙ୍ଗକୁ ଘଟଣା ସ୍ଥଳରୁ ଚାଲିଯିବାକୁ ଧମକ ଦେଇଥିଲେ। ନିର୍ମାଲ୍ୟ ସଦର ଥାନାକୁ ଆସି ଏନେଇ ଅଭିଯୋଗ କରିଥିଲେ। ଦୁର୍ବୃତ୍ତମାନେ ସେଠାରେ ଥିବା ନେଇ ସେ ପୋଲିସକୁ କହିଥିଲେ ମଧ୍ୟ ସେଠାରେ କାର୍ଯ୍ୟରତ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ। ଏହାକୁ ହାଲୁକା ମନେ କରି ଅଭିଯୋଗକାରୀଙ୍କୁ ରାତ୍ର ହୋଇଗଲାଣି ଘରକୁ ଚାଲିଯିବାକୁ କହିଥିଲା। ସକାଳୁ ବାବୁ ମାନେ ଆସିଲେ ସେ କଥା ବୁଝାହେବ ବୋଲି ପୋଲିସ କର୍ମଚାରୀ ଜଣଙ୍କ ସେମାନଙ୍କୁ କହିଥିଲା। ଯାହାଫଳରେ ଭୟଭୀତ ରହିଥିବା ନିର୍ମାଲ୍ୟ ସାହୁ ଓ ତାଙ୍କ ସାଙ୍ଗ ଗାଁ’କୁ ଚାଲିଯାଇଥିଲେ। ତା’ପରଦିନ ନିର୍ମାଲ୍ୟ ଓ ଅସିଲି ଥାନାକୁ ଆସି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି। ଅଞ୍ଚଳରେ ରାତ୍ରିକାଳୀନ ପେଟ୍ରୋଲିଂ ହେଉନଥିବା ଯୋଗୁଁ ସେଠାରେ ଲୂଟେରା ମାନେ ଖୁଲାମଖୁଲା ଲୂଟ ତରାଜ କରୁଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।