ବ୍ରହ୍ମପୁର,୨ା୩:୧୧୦୦ କିଲୋଗ୍ରାମ ଗଞ୍ଜେଇ ରଖିବା ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ ଏଲଆର(ଲିଭ ରିଜର୍ଭ) କୋର୍ଟ ବିଚାରପତି ରାଜକୁମାର ଦାସ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଏକ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଦଣ୍ଡ ପାଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଗଜପତି ଜିଲା ଅଡବା ଥାନା ଅଧିନ ଖ୍ରୀଷ୍ଟିୟାନ ସାହିର ଜିତେନ୍ଦ୍ର ଉଠାନସିଂ।
ମାମଲାର ବିବରଣୀରୁ ପ୍ରକାଶ ୨୦୨୨ ଜାନୁଆରୀ ୧୫ ତାରିଖର ଘଟଣା। ବିଏନ୍ପୁର ଥାନା ଅଧିନ ଆଙ୍କୁଲି ଶିବଶକ୍ତି ନଗର ଠାରେ ଅବକାରୀ ଗୁଇନ୍ଦା ବିଭାଗ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଲା ଯେ ଶିବଶକ୍ତିନଗର ୧୦ମ ଲାଇନ୍ରେ ଜଣେ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ଅଛି। ଏ ନେଇ ତାଙ୍କର ସନ୍ଦେହ ହେବାରୁ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀ ଉକ୍ତ ଘରକୁ ଯାଇଥିଲେ। ସେଠାରେ ଚଢଉ କରିବା ବେଳେ ୧୧୦୦ କିଲୋ ଗଞ୍ଜେଇ ଥିଲା। ଜିତେନ୍ଦ୍ର ଉଠାଣସିଂ ନାମକ ବ୍ୟକ୍ତି ଏହି ଗଞ୍ଜେଇ ରଖିଥିଲେ।
ଜିତେନ୍ଦ୍ରଙ୍କ ଘର ଗଜପତି ଜିଲା ଅଡ଼ବା ଥାନା ଅଧିନ ଖ୍ରୀଷ୍ଟିୟାନ୍ ସାହିରେ ବୋଲି ଜଣାପଡିଥିଲା। ୪୦ଟି ଜରି ବସ୍ତାରେ ଏହି ଗଞ୍ଜେଇ ରହିଥିଲା। ଗଞ୍ଜେଇ ଗଜପତି ଜିଲାରୁ ଅସିଥିଲା। ଏହା ରାଜ୍ୟ ବାହାରକୁ ଚାଲାଣ ହେବା ପାଇଁ ଏଠାରେ ମହଜୁଦ ରହିଥିଲା। ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ବିଚାରପତି ଜାମିନ୍ ନାମଞ୍ଜୁର କରିବାରୁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ଏ ନେଇ ନେଇ ତତ୍କାଳୀନ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଥିଲେ। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ରଜତ କୁମାର ଦାସ ମାମଲା ପରିଚାଳନା କରୁଥିଲେ।
