Odisha news

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲା ଅଭିଯୁକ୍ତ ଦୋରା ଜଗନ୍ନାଥଙ୍କୁ ୨ ବର୍ଷ ଲେଖାଏଁ ଜେଲ

0

ବ୍ରହ୍ମପୁର,୨୩ା୨ – ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ବ୍ରହ୍ମପୁର ଏସିଜେଏମ୍‌ ଅଭିଯୁକ୍ତଦ୍ବୟଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଏକ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଭାଇ ହେଲେ ଦୋରା ବେହେରା ଓ ଜଗନ୍ନାଥ ବେହେରା। ସେହିପରି ଆକ୍ରମଣର ଶିକାର ହୋଇଥିବା ଦୁଇ ଭାଇ ହେଲେ ରାଜେଶ କୁମାର ପାଟ୍ଟ ଓ ରାଜକୁମାର ପାଟ୍ଟ।

ମାମଲାର ବିବରଣୀରୁ ପ୍ରକାଶ ୨୦୧୭ ମସିହାର ଘଟଣା। ଫାଷ୍ଟଗେଟ ବର୍ମା କଲୋନୀରେ ରହୁଥିବା ଅଭିଯୁକ୍ତ ପରିବାର ସହ ଆକ୍ରମଣର ଶିକାର ଦୁଇ ଭାଇଙ୍କ ପରିବାରର ପୂର୍ବ ଶତ୍ରୁତା ରହିଥିଲା। ରାଜେଶ ଓ ରାଜକୁମାରଙ୍କୁ ଆକ୍ରମଣ କରି ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ୨୦୧୭ ମସିହା ମେ ମାସ ୩୧ ତାରିଖରେ ରାଜେଶ ଓ ରାଜକୁମାର ଘର ଠାରୁ କିଛି ଦୂରରେ ଛିଡା ହୋଇଥିବା ବେଳେ ଦୋରା ଓ ଜଗନ୍ନାଥ ମରଣାସ୍ତ୍ର ଧରି ଦୁଇ ଭାଇଙ୍କୁ ହତ୍ୟା ଉଦେଶ୍ୟରେ ଆକ୍ରମଣ କରିଥିଲେ। ହେଲେ ଦୁଇ ଭାଇ ଗୁରୁତର ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ। ଘରେ ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ଉଭୟ ସୁସ୍ଥ ହୋଇଥିଲେ।

ଏ ସଂକ୍ରାନ୍ତରେ ରାଜେଶଙ୍କ ଭାଉଜ କୁନି ପାଟ୍ଟ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ୮୧/୨୦୧୭ ରେ ଏକ ମାମଲା ରୁଜୁ କରି ଦୋରା ବେହେରା ଓ ତାଙ୍କ ଭାଇ ଜଗନ୍ନାଥ ବେହେରା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁଲିସ ତଦନ୍ତ କରି କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ଏହି ମାମଲାରେ କୋର୍ଟ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଲେଖ କୁମାର ପ୍ରଧାନ ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଭି.ପ୍ରସନ୍ନ କୁମାର ପାତ୍ର ମାମଲା ପରିଚାଳନା କରିଥିଲେ।

Nalco
Leave A Reply