ବ୍ରହ୍ମପୁର,୧୮ା୧: କେ.ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମରେ ହୋଇଥିବା ଭିନ୍ନକ୍ଷମ ଯୁବତୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ । ଅନୈତିକ ସମ୍ପର୍କକୁ ଧରାପଡିଯିବା ଭୟରେ ଯୁବତୀ ବିଷ୍ଣୁପ୍ରୀୟା ସାହୁଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା । ଏ ନେଇ ଆଜି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ ତାଙ୍କ କାର୍ଯ୍ୟାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏଥିରେ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କ ୍ସମ୍ପୃକ୍ତିକୁ ନେଇ ପୁଲିସ ସେମାନଙ୍କୁ ଗିରଫ କରିଛି । ମହିଳା ଜଣକ ହେଲେ ଚୌଧୁରୀ ଟିକରପଡା ଗ୍ରାମର ବିନୋଧ ଅଧିକାରୀଙ୍କ ପତ୍ନୀ ରୁବିତା ଅଧିକାରୀ(୪୫) ଓ ତାଙ୍କ ପ୍ରେମିକ ପଦ୍ମନ ସାହୁ(୩୦) । ଉଭୟଙ୍କୁ ପୁଲିସ ଆଜି ଗିରଫ ପରେ କୋର୍ଟଚାଲାଣ କରିଛି । ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଘଟଣାରେ ପୁଲିସ ମୃତ ଯୁବତୀ ପିନ୍ଧିଥିବା ମୁଣ୍ଡର କ୍ଲିପ୍, ଭଙ୍ଗାଚୁଡି, ସାଲ୍ ଜବତ କରିଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ରୁବିତାଙ୍କ ଘରୁ ରକ୍ତଭିଜା ତକିଆ ସହ ବେଡସିଟ୍କୁ ମଧ୍ୟ ଜବତ କରିଛି । ସେହିଭଳି ଘଟଣାଦିନ ଅଭିଯୁକ୍ତ ରୁବିତା ପିନ୍ଧିଥିବା ବସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଥିବା ନେଇ ଏସପି ସୂଚନା ଦେଇଛନ୍ତି ।
ଘଟଣା ଘଟାଇବା ପରେ ଗ୍ରାମରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମହିଳା ରୁବିତାଙ୍କୁ ପୁଲିସ ଭୁବନେଶ୍ୱରରୁ କାବୁ କରି ତାଙ୍କ ମୂଳ ନିବାସ ଟିକରପଡା ଗ୍ରାମକୁ ଆଣିଥିଲେ । ଏଠାରେ ପୁଲିସ ରୁବିତା ଓ ତାଙ୍କ ପ୍ରେମିକ ପଦ୍ମନଙ୍କୁ ମୁହାଁମୁହିଁ ଜେରା କରିବା ସହ ମହିଳାଙ୍କ ଘରକୁ ଯାଂଚ କରିଥିଲା । ଘଟଣାସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ସାମଗ୍ରୀ ଜବତ କରିଥିଲା । ଉଭୟେ ପୁଲିସ ନିକଟରେ ପୁରା ଘଟଣାର ଡେମୋ ଦେଖାଇଥିଲେ । ପୁଲିସ ପୁରା ଘଟଣାକୁ ତନ୍ନ ତନ୍ନ କରି ଯାଂଚ କରିବା ପରେ ଆଜି କୋର୍ଟଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଷ୍ଣୁପ୍ରୀୟା ଜଣେ ଭିନ୍ନକ୍ଷମ ଯୁବତୀ । ବିଷ୍ଣୁଙ୍କ ବାପା ବାସୁ ସାହୁଙ୍କ ୪ ଜଣ ଝିଅ ଥିବା ବେଳେ ଜଣେ ଝିଅ ବାସୁଙ୍କ ଘର ସମ୍ମୁଖରେ ହିଁ ବିବାହ କରି ରହୁଛନ୍ତି । ଭିନ୍ନକ୍ଷମ ବିଷ୍ଣୁ ଅବିବାହିତ ଥିବା ଯୋଗୁଁ ସେ ପ୍ରତିିଦିନ ବାପ ଘରେ ଦିନ ସମୟରେ ରହୁଥିଲେ ଓ ରାତି ସମୟରେ ତାଙ୍କ ଘର ସମ୍ମୁଖରେ ରହୁଥିବା ଭଉଣୀଙ୍କ ଘରକୁ ଶୋଇବା ପାଇଁ ଯାଉଥିଲେ । ଚଳିତ ମାସ ୮ ତାରିଖ ରାତିଭୋଜନ କରିବା ପରେ ବିଷ୍ଣୁ ତାଙ୍କ ଉଭଣୀଙ୍କ ଘରକୁ ଶୋଇବାକୁ ଯାଇଥିଲେ । ଅନ୍ୟପଟେ ଭୁବନେଶ୍ୱରରେ ରହୁଥିବା ରୁବିତା ଅଧିକାରୀ ତାଙ୍କ ନିଜ ଘର ଚୌଧୁରୀ ଟିକରପଡା ଆସିଥିଲେ । ଉକ୍ତ ଦିନ ରାତ୍ର ସେହି ଗ୍ରାମରେ ରହୁଥିବା ତାଙ୍କ ପ୍ରେମିକ ପଦ୍ମନ ସାହୁ ମଧ୍ୟ ରୁବିତାଙ୍କ ଘର ଭିତରକୁ ଯାଇଥିଲେ ।
ରୁବିତା ଓ ବିଷ୍ଣୁପ୍ରିୀୟାଙ୍କ ଭଉଣୀ ଦୁଇ ପଡୋଶୀ ଥିବାବେଳେ ବିଷ୍ଣୁ ଉକ୍ତ ଦିନ ରାତ୍ର ରୁବିତାଙ୍କ ଘର ଭିତରକୁ ପଦ୍ମନ ଯାଇଥିବା ଦେଖିଥିଲେ । ବିଷ୍ଣୁପ୍ରୀୟା କୌଣସି ଘଟଣା ଦେଖିବା ମାତ୍ରେ ବାରମ୍ବାର ସେହି ଘଟଣାକୁ ଲୋକଙ୍କ ନିକଟରେ କହୁଥିବା ଜାଣି ପଦ୍ମନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । କାଳେ ଏହି ଘଟଣା ମଧ୍ୟ ବିଷ୍ଣୁ ଗ୍ରାମବାସୀଙ୍କ ସମ୍ମୁଖରେ ବାରମ୍ବାର କହିବେ ବୋଲି ଭାବି ବିଷ୍ଣୁପ୍ରୀୟାଙ୍କୁ ଘଟଣା ଦିନ ପ୍ରଥମେ ମାଡ ମାରିଥିଲେ । ଏହି କଥା ରୁବିତାଙ୍କୁ ମଧ୍ୟ ପଦ୍ମନ ଜଣାଇଥିଲେ । ପରେ ଉଭୟେ ଯୋଜନା ମୁତାବକ ବିଷ୍ଣୁପ୍ରୀୟାଙ୍କୁ ତାଙ୍କ ଘର ଭିତରକୁ ଟାଣି ଆଣି ଏକ ଖଟରେ ଶୁଆଇ ଦେଇଥିଲେ । ରୁବିତା ଏକ ମୁଚୁଳା ବିଷ୍ଣୁପ୍ରୀୟାଙ୍କ ମୁହଁରେ ଚାପି ଦେଇ ହତ୍ୟା କରିଥିଲେ । ପରେ ପଦ୍ମନ ନିଜ ଘରକୁ ପଳାଇଥିବା ବେଳେ ରୁବିତା ମଧ୍ୟ ତାଙ୍କ ଅନ୍ୟ ଜଣେ ବାନ୍ଧବୀଙ୍କ ଘରକୁ ପଳାଇଥିଲେ । ବିଷ୍ଣୁପ୍ରୀୟା ନିଖୋଜ ଥିବା ନେଇ ପରିବାର ଲୋକେ କେ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରିଥିଲା । ଗୋଟିଏ ଦିନ ପରେ ଅର୍ଥାତ୍ ଚଳିତ ମାସ ୯ ତାରିଖ ବିଳମ୍ବିତ ରାତ୍ରିରେ ବିଷ୍ଣୁପ୍ରୀୟାଙ୍କ ଶବ ଉକ୍ତ ସାହିର ଗୋବିନ୍ଦ ସାହୁଙ୍କ ଘର ପଛପଟେ ଥିବା ଜଣାପଡିଥିଲା । ଏ ନେଇ ପରିବାର ଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ବିଳମ୍ବିତ ରାତି ପୁଲିସ ଖବର ପାଇ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲା । ଘଟଣାର ୧୦ ଦିନ ପରେ ପୁଲିସ ସମସ୍ତ ଘଟଣା ଜାଣି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।