Odisha news

ବେନ୍ଦାରୁ ମାଛ ଚୋରିକୁ ପ୍ରତିବାଦ କରିବାରୁ ସିଆରୀମାଳରେ ଚାଷୀକୁ ହତ୍ୟା

0

ବେଲଗୁଣ୍ଠା, 21/08, ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଚାଷୀ ନିଜ ଜମିରୁ ବୋହି ଯାଉଥିବା ପାଣିରେ ବେନ୍ଦା ପକାଇ ମାଛ ଧରୁଥିବା ଦେଖିବାକୁ ମିଳୁଛି I କିନ୍ତୁ ବେଳେ ବେଳେ ଏହି ମାଛଧରାକୁ କେନ୍ଦ୍ର କରି ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେବାର ନଜିର ରହିଛି I ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରୀମାଳ ଗ୍ରାମରେ I ଗ୍ରାମରେ ଜଣେ ଚାଷୀଙ୍କ ବେନ୍ଦାରୁ ଅନ୍ୟ ଜଣେ ଯୁବକ ଚୋରି କରିନେଉଥିବା ବେଳେ ଏହାକୁ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଏକ ହତ୍ୟାକାଣ୍ଡ ଘଟି ଯାଇଛି I ସୂଚନା ପ୍ରକାରେ ସିଆରୀମାଳ ଗ୍ରାମର ଖଦାଳ ସ୍ଵାଇଁଙ୍କ ପୁଅ ଦିଲ୍ଲୀପ ସ୍ୱାଇଁ (50) ନିଜ ଘର ପଛପଟେ 200 ମିଟର ଦୂରରେ ଥିବା ନିଜ ଜମିରେ ଏକ ବେନ୍ଦା ପକାଇଥିଲେ I

ସେ କିଛି ଦିନ ହେବ ରାତିରେ ବେନ୍ଦା ପକାଇ ସକାଳୁ ଜମିକୁ ଯାଇ ମାଛ ନଥିବା ଦେଖିବାକୁ ପାଇ ବେନ୍ଦାରୁ ମାଛ ଚୋରି ହେଉଥିବା ଅନୁମାନ କରିଥିଲେ I ଶନିବାର ରାତ୍ର ଦଶ ଘଣ୍ଟ ସମୟରେ ସେ ଲୁଚି ଲୁଚି ନିଜ ବେନ୍ଦା ନିକଟକୁ ଯାଇଥିଲେ I ସେଠାରେ ଯାଇ ଦେଖିଥିଲେ ଯେ ସେହି ଗ୍ରାମର କାମ୍ପ ତାରିଣୀଙ୍କ ପୁଅ ଭରତ ତାରିଣୀ (25) ମାଛ ଚୋରି କରି ନେଉଛି I ଦିଲ୍ଲୀପ୍ ଏହା ଦେଖି ପ୍ରତିବାଦ କରିଥିଲେ ଏବଂ ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା I ସେଠାରୁ ଉଭୟ ଆସି ଗାଁ ମୁଣ୍ଡରେ ଥିବା ବ୍ରାହ୍ମଣ ଦେବୀ ମନ୍ଦିର ନିକଟରେ ପୁଣି ଥରେ ଯୁକ୍ତିତର୍କ ଏବଂ ପାଟିତୁଣ୍ଡ କରିଥିବା ଲୋକେ ଶୁଣିବାକୁ ପାଇଥିଲେ I ଏଥିରେ ଭରତ ଉତକ୍ଷିପ୍ତ ହୋଇ ସେ ଧରିଥିବା ଏକ କାତିରେ ଦିଲ୍ଲୀପକୁ ଏକାଧିକ ଚୋଟ ପକାଇଥିଲା I ଏହି ଚୋଟ ଯୋଗୁଁ ଦିଲ୍ଲୀପର ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଘଟଣାସ୍ଥଳରେ ଦିଲ୍ଲୀପର ମୃତ୍ୟୁ ଘଟିଥିଲା I ଖବର ପାଇ ଦିଲ୍ଲୀପର ସ୍ତ୍ରୀ ନଗରୀ ସ୍ୱାଇଁ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ I ନଗରୀଙ୍କ ଅଭିଯୋଗ ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଭରତକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି I

Nalco
Leave A Reply