Odisha news

ଟିଟୋ ସହଯୋଗୀ ଗିରଫ: ବନ୍ଧୁକ, ଗୁଳି ଜବତ

0

ଭୁବନେଶ୍ୱର,(ନି.ପ୍ର): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) କେନ୍ଦ୍ରାପଡ଼ାର ଗ୍ୟାଙ୍ଗ୍ଷ୍ଟାର ଟିଟୋର ସହଯୋଗୀ ସେଖ୍ ରାଜାକୁ ଗିରଫ କରିଛି । ତା’ ନିକଟରୁ ଦେଶୀବନ୍ଧୁକ ସମେତ ଅଫୁଟା ଗୁଳି, ବାଇକ୍, ମୋବାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି । ରାଜା ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ସହ ବେଆଇନ ଭାବେ ବନ୍ଧୁକ କାରବାର କରୁଥିଲା । ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ କେସ ନଂ ୬୦୦/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ସେଖ୍ ରାଜା ଭଦ୍ରକ ଅଞ୍ଚଳରେ ବେଆଇନ ଭାବେ ଦେଶୀବନ୍ଧୁକ କାରବାର କରୁଥିଲା । ଏମିତିକି ସେ ଲୋକଙ୍କୁ ଭୟଭୀତ କରାଇବା ପାଇଁ ବେଳେ ବେଳେ ପାଙ୍କା ଗୁଳି ଚାଳନା ମଧ୍ୟ କରେ । ଏହାସହ ବିଭିନ୍ନ ଅପରାଧିକ ମାମଲାରେ ସେ ସମ୍ପୃକ୍ତ ରହିଛି । ଏସମ୍ପର୍କରେ ଏସ୍ଟିଏଫ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏସ୍ଟିଏଫ୍ ତାକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯୋଜନା ମୁତାବକ ଏସ୍ଟିଏଫ୍ ସେଖ୍ ରାଜା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ।

ରାଜା ଭଦ୍ରକ ପୁରୁଣା ବଜାର ମିର୍ଜାପୁର ଅଞ୍ଚଳରେ ରହୁଥିବା ଜଣାପଡ଼ିଥିଲା । ଏହାପରେ ଏସ୍ଟିଏଫ୍ର ଅତିରିକ୍ତ ଏସ୍ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ଭଦ୍ରକ ଆସିଥିଲେ । ବୁଧବାର ଅପରାହ୍ଣ ୨ଟାରେ ସେମାନେ ରାଜା ଘର ଉପରେ ଚଢ଼ଉ କରିଥିଲେ । ସେଠାରେ ଘର ପରିସର ଯାଞ୍ଚ କରିବାରୁ ବନ୍ଧୁକ ସମେତ ଗୁଳି ମିଳିଥିଲା । ଏହାପରେ ଏସ୍ଟିଏଫ୍ ଟିମ୍ ରାଜାକୁ ଗିରଫ କରି ଭଦ୍ରକ ଗ୍ରାମାଞ୍ଚ ଥାନା ପୋଲିସ ହେପାଜତରେ ଦେଇଥିଲେ । ସେଠାରେ ତାକୁ ପଚରାଉଚରା କରିବାରୁ ବନ୍ଧୁକ କାରବାର କରୁଥିବା ସ୍ୱୀକାର କରିଥିଲା । ବେଆଇନ ଭାବେ ବନ୍ଧୁକ ରଖିବା ସହ କାରବାର କରିବା ନେଇ ଆର୍ମ ଆକ୍ଟ ବଳରେ ସେଖ୍ ରାଜାକୁ ପୋଲିସ ଗିରଫ କରିଥିଲା ।

Leave A Reply