ଭୁବନେଶ୍ୱର,(ନି.ପ୍ର): ରାଜଭବନ ପାଖ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାେରେ ଫରେନ୍ସିକ୍ ଟିମ୍ ଜବତ କରିଥିବା ଦୁଇ ବସ୍ତା ହାଡ, ମାଂସ ସବୁ ମଣିଷଙ୍କର ବୋଲି ଜଣାପଡିଛି । ଫରେନସିକ୍ ମେଡିସିନ୍ ଆଣ୍ଡ ଟେକ୍ସିକୋଲୋଜି ବିଭାଗରେ ପରୀକ୍ଷା କରାଯାଇଥିଲା । ଏହି ରିପୋର୍ଟ ଜଣାପଡିବା ସହ ଭୁବନେଶ୍ୱର ପୋଲିସ ଜବତ ହାଡ, ମାଂସର ଡିଏନଏ ଟେଷ୍ଟ କରିବାପାଇଁ ଭୁବନେଶ୍ୱର ପୋଲିସ କୋର୍ଟଙ୍କ ଅନୁମତି ଲୋଡିଛନ୍ତି । ବୁଧବାର ଦିନ ପୋଲିସ ପକ୍ଷରୁ ବିଧିବଦ୍ଦ ଭାବେ ଏ ନେଇ ଆବେଦନ କରାଯାଇଛି ।
ଜବତ ହାଡ, ମାଂସ ମଣିଷର ଜଣାପଡିଥିବାରୁ ଅନୁମତି ମିଳିଲେ ନିଖୋଜ ସିମାଞ୍ଚଳଙ୍କର ବାପା, ମା’ଙ୍କ ଠାରୁ ସାମ୍ପୁଲ୍ ସଂଗ୍ରହ କରାଯିବ । ଡିଏନ୍ଏ ଟେଷ୍ଟ ରିପୋର୍ଟ ପରେ ସ୍ପଷ୍ଟ ହେବ ସୀମାଞ୍ଚଳ ଓ ଅନ୍ୟ କାହାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସିମାଞ୍ଚଳଙ୍କ ପରିବାର ଶବ ପାଇନଥିବାବେଳେ ପୁଅର ପର୍ସ, ଏଟିଏମ୍ ଡକ୍ୟୁମେଣ୍ଟକୁ ଦେଖବ ମୃତ୍ୟୁ ହୋଇଥିବା ଭାବି ଗାଁ ମଶାଣିରେ କୁଶ ପୁତ୍ତଳିକା ଦାହ କରିଛନ୍ତି । ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଅନ୍ୟ କାହାର ମୃତ୍ୟୁ ହୋଇଛି କି, ନିଖୋଜ ଅଛନ୍ତି ସେ ନେଇ କୌଣସି ଅଭିଯୋଗ ପୋଲିସକୁ ମିଳିନାହିଁ । କେବଳ ସିମାଞ୍ଚଳଙ୍କ ପରିବାର ଅଭିଯୋଗ କରିଛନ୍ତି ।