Odisha news

ବିଶ୍ୱ ଓଡ଼ିଆ ପରିବାର ତରଫରୁ ନବ ଉଦ୍ୟମୀଙ୍କୁ ସମ୍ମାନ ସମାରୋହ

0

ଭୁବନେଶ୍ୱର(Suvendra pattanaik) : ବିଶ୍ୱ ଓଡ଼ିଆ ପରିବାର ତରଫରୁ ଭିନ୍ନ ଢଙ୍ଗରେ ଉତ୍କଳୀୟ ନବ ବର୍ଷ ପାଳନ କରାଯାଇଛି । ଏହି ଅବସରରେ ଆମ ରାଜ୍ୟର ନବ ଉଦ୍ୟମୀଙ୍କୁ ସମ୍ମାନିତ କରିବାପାଇଁ ଏକ ସମାରୋହ ସୃଷ୍ଟି ଏକାଡେମୀ ଅଫ ବିଜିନେସ୍ ମ୍ୟାନେଜମେଂଟ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । । ଏଥିରେ ଅନୁଷ୍ଠାନର ସଭାପତି ଶ୍ରୀ ସଜ୍ଜନ ଶର୍ମା ଅଧ୍ୟକ୍ଷତା କରିବେ ଓ ଉତ୍କଳ ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ଶ୍ରୀ ପ୍ରବୋଧ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀ ସରୋଜ କୁମାର ସାହୁ,ପ୍ରତିଷ୍ଠାତା, ସୃଷ୍ଟି ଏକାଡେମୀ ଅଫ ବିଜିନେସ ମ୍ୟାନେଜମେଂଟ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଶ୍ରୀ ପ୍ରବୋଧ କୁମାର ମହାନ୍ତି ବିକଶିତ ଓଡ଼ିଶାର ସଫଳ ରୂପାୟନ ଦିଗରେ ସରକାରଙ୍କ ଅଙ୍ଗୀକାର ବଦ୍ଧତା ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶା ବିକାଶ କ୍ଷେତ୍ରରେ ସାମୁହିକ ଉଦ୍ୟମ ଶୃଜନଶୀଳତା ଓ ନିଷ୍ଠାପର ଉଦ୍ୟମ ଏକାନ୍ତ ପ୍ରୟୋଜନ । ବିଭିନ୍ନ ସମ୍ପଦରେ ଧନୀ ଓଡ଼ିଶାକୁ ସମଗ୍ର ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ନବ ଉଦ୍ୟମୀଙ୍କୁ ଅହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ରୂପେ ଶ୍ରୀ ସରୋଜ କୁମାର ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, କେବଳ ନିଜର ନିହିତ ସ୍ୱାର୍ଥ ପାଇଁ ଅନୁଷ୍ଠାନଟିଏ ଗଢ଼ିଦେଇ ଆତ୍ମସନ୍ତୋଷ ଲାଭ କରିବା ଅନୁଚିତ । ରାଜ୍ୟର ସ୍ୱାର୍ଥ ତଥା ବିକାଶ ଦିଗରେ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା ଏକାନ୍ତ ପ୍ରୟୋଜନ । ବିଶେଷ କରି ନବଉଦ୍ୟମୀମାନେ ବିକାଶ ଦିଗରେ ନବ ସର୍ଜନା କରି ଇତିିହାସ ସୃଷ୍ଟି କରିବା ଦିଗରେ ବ୍ରତୀ ହେବାପାଇଁ ସେ କହିଥିଲେ ।
ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା ତାଙ୍କର ଉଦ୍‌ଘାଟନୀ ଅଭିଭାଷଣରେ କହିଥିଲେ ଯେ, ପ୍ରଥମ ଥର ଓଡ଼ିଆ ପକ୍ଷ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ବିଶ୍ୱ ଓଡ଼ିଆ ପରିବାର ତରଫରୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବିଶ୍ୱ ଓଡ଼ିଆ ପରିବାର ଏହି ଆନ୍ଦୋଳନର ଏକ ଅଂଶ ବିଶେଷ ସେ କହିଥିଲେ ଓଡ଼ିଶାର ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱରକୁ ସମଗ୍ର ବିଶ୍ୱରେ ପରିଚିତ ଓ ସମ୍ମାନିତ କରିବା ପାଇଁ ଉଦ୍ୟମ ଜାରିରଖିବା ପାଇଁ ସେ କହିଥିଲେ ।
ଏହି ଅବସରରେ ଓଡି଼ଶାକୁ ନୂତନ ସୋପାନରେ ପହଂଚାଇବାରେ ସଫଳ ହୋଇଥିବା ନବଉଦ୍ୟମୀଙ୍କ ମଧ୍ୟରୁ ୫ ଜଣଙ୍କୁ ସମ୍ମାନିତ କରାଯିବ । ସେମାନେ ହେଲେ, ଶ୍ରୀ ବୋଧିସତ୍ୱ ସଂଘପ୍ରିୟ, ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ ଆଇ. ଜି. ଡ୍ରୋନ, ଶ୍ରୀ ଦୀପକ କୁମାର ନାଥ, ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ, ଥ୍ରେଟ୍‌ସିସ୍ ଟେକ୍ନୋଲୋଜି ପ୍ରା. ଲିଃ ତଥା ବିଶିଷ୍ଟ ସାଇବର ସିକ୍ୟୁରିଟି ଓ ପରାମର୍ଶଦାତା ଶ୍ରୀ ନିହାର ରଂଜନ ପଣ୍ଡା, ପରିଚାଳନା ନିର୍ଦ୍ଦେଶ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ, ସ୍କାଇ ରାଇଡର ଇଲେକ୍‌ଟ୍ରିକ୍ ପ୍ରା.ଲିଃ, ଶ୍ରୀମତୀ ସ୍ନିଗ୍ଧାରାଣୀ ପାତ୍ର, ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଏଗ୍ରିସୋଲ ଅର୍ଗାନିକ୍ ଇଣ୍ଡିଆ ପ୍ରା.ଲିଃ, ଶ୍ରୀ ଶ୍ରୀଜୟ ନାୟକ, ପରିଚାଳନା ନିର୍ଦ୍ଦେଶକ, ମହାନଦୀ ପଲ୍ଲୀମର ପ୍ରା.ଲିଃ ।
ଇଂ ଶାକ୍ୟସିଂହ ମହାପାତ୍ର ସମାରୋହର ପରିଚାଳନା କରିଥିଲେ । ବିଶିଷ୍ଟ କବୟତ୍ରୀ ଡ଼ଃ ପୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ଡ଼ଃ ହାଡିବଂଧୁ ପାଣିଗ୍ରାହୀ ସମାରୋପ ଅଭିଭାଷଣ ପ୍ରଦାନ କରିଥିଲେ । ବିଶ୍ୱ ଓଡି଼ଆ ପରିବାରର ଡ଼ଃ ପଦ୍ମଲୋଚନ ଦାସ ଅତିଥିମାନଙ୍କୁ ସମ୍ମାନିତ କରିଥିବା ବେଳେ ପରିବାରର ମୁଖପାତ୍ର ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ସୁବ୍ରତ କୁମାର ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଡ଼ଃ ପ୍ରତାପ ପାଣି, ଡ଼ଃ ଶଶିଭୁଷଣ ରଥ, ଷରିହରମିଶ୍ର, କ୍ଷୀରୋଦ ଜେନା, ଅର୍ପିତା ଦାଶ, ମୀନା ସାହୁ, ସତ୍ୟଜିତ ମହାନ୍ତି, ଅଲୋକ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତଥିଲେ ।

Leave A Reply