Odisha news

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ , ସ୍ୱର୍ଗତଃ ପ୍ରଣବ ମୁଖାର୍ଜିଙ୍କ ବିୟୋଗ ଦେଶ ପାଇଁ ଅପୁରଣୀୟ କ୍ଷତି: ସମୀର ମହାନ୍ତି

0

ଭୁବନେଶ୍ୱର,ତା.୦୧/୦୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ସାମାଜିକ ଦୂରତା ବଜାୟ ରଖି ସର୍ବପ୍ରଥମେ ତାଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ଅନ୍ୟ ନେତୃବୃନ୍ଦ ସ୍ୱର୍ଗତଃ ମୁଖାର୍ଜିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ଭାରତର ରାଜନୀତିରେ ରହିଥିବା ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦକ୍ଷ ଓ ଜନପ୍ରିୟ ରାଜନେତା ଥିଲେ । ଦେଶର ରାଜନୀତିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା, ବୈଦେଶିକ ଏବଂ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ପଦପଦବୀରେ ରହି ସ୍ୱର୍ଗତଃ ମୁଖାର୍ଜୀ ନିଜ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ଦକ୍ଷ ପ୍ରଶାସକ, ସାଂସଦ ଏବଂ ପରବର୍ତୀ ସମୟରେ ରାଷ୍ଟ୍ରପତି ପଦରେ ରହି ଦେଶର ସୁନାମ ଆଣିଛନ୍ତି ।

ସ୍ୱର୍ଗତ ମୁଖାର୍ଜୀଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଶ୍ରୀ ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାତଙ୍କ ନିକଟରେ ସ୍ୱର୍ଗତଃ ଆତ୍ମାର ସଦ୍ଗତି କାମନା କରିଛନ୍ତି । ଶୋକସନ୍ତପ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଇଂ.ଗଣେଷ ରାମ ଖୁଂଟିଆ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଡ.ଯତୀନ ମହାନ୍ତି, ବିରଂଚି ତ୍ରିପାଠୀ, ଠାକୁର ରଣଜିତ୍ ଦାଶ, ଶାରଦା ପ୍ରସାଦ ଶତପଥୀ, ବାବୁ ସିଂ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply