ଭୁବନେଶ୍ୱର-ତା.୦୯.୦୩.୨୦୨୪- ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ଟାଙ୍ଗୀ ଓ ବେଗୁନିଆସ୍ଥିତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏଥିରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ ଓ ବିଦ୍ୟୁତ, ପାରିବାରିକ ଏବଂ ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ବ, ଖାଉଟି ବ୍ୟାପାର ଭଳି ବହୁ ଜନ ଉପଯୋଗୀ ମାମଲାର ବିଚାର ହୋଇଥିଲା ।
ବିଭିନ୍ନ ଅଦାଲତରେ ଆଗତ ୫୭ ହଜାର ୮୨୪ଟି ମାମଲା ମଧ୍ୟରୁ ସର୍ବମୋଟ ୩୮ ହଜାର ୪୪୭ଟି ମାମଲାର ଚୂଡାନ୍ତ ଫଇସଲା ଆପୋଷ ଆଲୋଚନା ମାଧ୍ୟମରେ ହୋଇଥିଲା । ଏହି ମାମଲା ଗୁଡ଼ିକରୁ ସମୁଦାୟ ୧୧ କୋଟି ୯୬ଲକ୍ଷ ୬୩ ହଜାର ୫୦୪ ଟଙ୍କା ଜରିମାନା ଏବଂ ରାଜସ୍ୱ ଆଦାୟ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା । ଏଥିରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଇନଜିବୀ, କୋର୍ଟ ମ୍ୟାନେଜର, ଅଦାଲତ କର୍ମଚାରୀ, ପ୍ରାଧିକରଣଙ୍କ କର୍ମଚାରୀ, ଡିଫେନ୍ସ କାଉନସିଲ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।