ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସାଂଗଠନିକ ଶକ୍ତି ପରୀକ୍ଷା : ନବୀନ ନିବାସରେ କନ୍ଧମାଳ ନେତାଙ୍କ ମାନସ ମନ୍ଥନ, ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ପୁନର୍ବାର ସୁଦୃଢ଼ କରିବା ଦିଗରେ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କନ୍ଧମାଳ ଜିଲ୍ଲାର କିଛି ଦଳୀୟ ନେତା ଭେଟି ଆଗାମୀ ନିର୍ବାଚନୀ ରଣନୀତି ଓ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ବିଶେଷକରି ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ଗାଁଠାରୁ ସହର ପର୍ଯ୍ୟନ୍ତ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାଯାଇଛି। ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତିରେ ଦଳର ସ୍ଥିତିକୁ ଅଧିକ ମଜଭୁତ କରିବା ଏବେ ନେତୃତ୍ୱ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛି। ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନକୁ ଆଗକୁ ନେବା ସହ ତୃଣମୂଳ ସ୍ତରରେ ଦଳର ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରୟାସ ଚାଲିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ପାଇଁ ସ୍ଥାନୀୟ ନେତୃତ୍ୱର ସକ୍ରିୟତା, କର୍ମୀଙ୍କ ଏକତା ଓ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ଏହି ଆଲୋଚନାରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା କ୍ଳେଶ ପ୍ରଧାନ ଏବଂ ସମାଜସେବୀ ତଥା ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଅମିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ନବୀନ ନିବାସରେ ହୋଇଥିବା ଏହି ସାକ୍ଷାତ ଓ ଆଲୋଚନା ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ବିଜେଡିର ସାଂଗଠନିକ ଦିଗକୁ କେତେ ନୂଆ ଗତି ଦେଉଛି ଏବଂ ବାଲିଗୁଡ଼ାରେ ଦଳ କିପରି ନିଜର ରାଜନୈତିକ ଆଧାରକୁ ସୁଦୃଢ଼ କରୁଛି, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।
