Odisha news

ଶିଳ୍ପାଞ୍ଚଳ ଗୁଡ଼ିକରେ ନିଜସ୍ୱ ପାର୍କିଂ ଓ ଆଲୋକୀକରଣ ସହ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ

0
• କଳକାରଖାନା ଓ ଖଣି ପ୍ରତିଷ୍ଠା ସହ ପରିବେଶ ସୁରକ୍ଷା ଆମର ପ୍ରାଥମିକତା
• ଶିଳ୍ପାନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା, ରାସ୍ତା ରକ୍ଷଣାବେକ୍ଷଣ, ରାସ୍ତାପାର୍ଶ୍ୱରେ ଆଲୋକୀକରଣ, ସିସିଟିଭିକୁ ଦିଆଯିବ ଗୁରୁତ୍ୱ
• ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନୀଗୁଡ଼ିକ ନିୟମିତ ଜଳ ସିଞ୍ଚନ ଏବଂ ପରିବେଶ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶସମ୍ବଲପୁର, ୧୦ ଅକ୍ଟୋବର ୨୦୨୬ – ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଖଣିଗୁଡ଼ିକର କାର୍ଯ୍ୟକାରିତା ଏବଂ ସେମାନଙ୍କର ଇଣ୍ଡଷ୍ଟ୍ରିଆଲ୍ ଓ ମାଇନିଂ ଆକ୍ଟିଭିଟିଜ୍‌କୁ ନେଇ ଶନିବାର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିଭିନ୍ନ କମ୍ପାନୀଗୁଡ଼ିକ ପକ୍ଷରୁ ସେମାନଙ୍କର ବାର୍ଷିକ ସି.ଏସ୍.ଆର୍. ପାଣ୍ଠିର ହିସାବ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରାଯାଇଥିଲା। କମ୍ପାନୀଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇ, ସ୍ଥାନୀୟ ଗ୍ରାମବାସୀଙ୍କ ସାଙ୍ଗରେ ମିଶି ଏବଂ ସେମାନଙ୍କର ଆଶା-ଆକାଂକ୍ଷାକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସମସ୍ତ ବିକାଶମୂଳକ କାମ କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଏ ଅଞ୍ଚଳରେ ରୋଜଗାର ସୃଜନ, ମହିଳାମାନଙ୍କ ପାଇଁ କର୍ମସଂସ୍ଥାନ, ଗୁଣାତ୍ମକ ଶିକ୍ଷା ପାଇଁ ଏମ୍ପ୍ଲୋୟେବିଲିଟି ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ରାଜପଥ-୧୦ ଉପରେ ବୃଦ୍ଧି ପାଉଥିବା ଭାରୀ ଯାନବାହନ ଓ ବିଭିନ୍ନ ପାୱାର ପ୍ଲାଣ୍ଟର ଲୋଡ୍ ଏବଂ ପରିବହନ ବ୍ୟବସ୍ଥା ନେଇ ସବିଶେଷ ଆଲୋଚନା ହୋଇଥିଲା। ଆର୍ଯ୍ୟନ୍, ଶ୍ୟାମ ମେଟାଲିକ୍ସ, ଆଦିତ୍ୟ ଆଲୁମିନିୟମ୍, ଜେଏସ୍‌ଡବ୍ଲ୍ୟୁ ତଥା ନେଇଭାଲି କୋଲିୟରି ସମେତ ବେଦାନ୍ତ, ଇଣ୍ଡ୍‌ ଭାରତ ଓ ଓପିଜିସିର ପାୱାର ପ୍ଲାଣ୍ଟଗୁଡ଼ିକର ପରିବହନ ଚାପ ଏହି ରାସ୍ତା ଉପରେ ପଡ଼ୁଥିବାରୁ ଏହାର ଏକ ଦୂରଦର୍ଶୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହା ଏକ ପବ୍ଲିକ୍ ରୋଡ୍ ହୋଇଥିବାରୁ, ଇଣ୍ଡଷ୍ଟ୍ରିଗୁଡ଼ିକ ନିଜସ୍ୱ ପାର୍କିଂ ବ୍ୟବସ୍ଥା କରନ୍ତୁ ବୋଲି ସାଂସଦ ପରାମର୍ଶ ଦେଇଛନ୍ତି,, ଯାହାଫଳରେ ଗାଡ଼ିଗୁଡ଼ିକର ଧୂଳି ଓ ଅସୁବିଧାରୁ ସାଧାରଣ ଲୋକେ ମୁକ୍ତି ପାଇବେ। ରେଙ୍ଗାଲି ବ୍ଲକର ନୂଆ ବସ୍‌ଷ୍ଟାଣ୍ଡରୁ ଖେରୁୱାଲ ବ୍ରିଜ୍ ପର୍ଯ୍ୟନ୍ତ ୧୫ କିଲୋମିଟର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସେଠାରେ ଆଲୋକ ବ୍ୟବସ୍ଥା କରିବା, ରାସ୍ତାକୁ ଠିକରେ ପାଣି ପକାଇ ମେଣ୍ଟେନ୍ କରିବା ଏବଂ ପିଡବ୍ଲ୍ୟୁଡି  ତଥା ଏଲ୍‌ଏଣ୍ଡ୍‌ଟି  ସହ ଆଲୋଚନା କରି ରାସ୍ତାକୁ ଆବଶ୍ୟକତା ଅନୁଯାୟୀ ଅଧିକ ଚଉଡ଼ା କରାଯିବ । ଷ୍ଟେଟ ହାଇଓ୍ୱେର ପ୍ରା ୧୫ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାର ଓ ପିଡବ୍ଲ୍ୟୁଡି ବିଭାଗ ସହ ଆଲୋଚନା କରି ଏକ ବିଶେଷ ଅନୁଦାନ ଓ ଦାୟିତ୍ୱ ଗ୍ରହଣ କରନ୍ତୁ । ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନୀଗୁଡ଼ିକ ନିୟମିତ ଜଳ ସିଞ୍ଚନ ଏବଂ ପରିବେଶ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବୈଠକରେ ପରାମର୍ଶ ଦିଆଯାଇଛି ।

ଜିଲ୍ଲାରେ କଳକାରଖାନା ଓ ଖଣି ଖଦାନ ହେଉ, କିନ୍ତୁ ପରିବେଶ, ପର୍ଯ୍ୟାବରଣ ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସର୍ବଦା ଆମର ସବୁଠୁ ବଡ଼ ପ୍ରାଥମିକତା ଅଟେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସମସ୍ତ କାର୍ଯ୍ୟଗୁଡ଼ିକୁ ସଫଳତାପୂର୍ବକ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକାଶ କରିଛନ୍ତି।ଏହି ବୈଠକରେ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

 

Ad2
Leave A Reply