Odisha news

ଶିକ୍ଷାକୁ ରାଜନୀତିର ଉର୍ଦ୍ଧ୍ୱରେ ରଖିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ବଦଳରେ ଭୋଟ୍ ବ୍ୟାଙ୍କ୍ ରାଜନୀତି ପଶ୍ଚିମବଙ୍ଗ ସରକାରଙ୍କ ପ୍ରାଥମିକତା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ

0

• କୋଲକାତାରେ ‘ମହାନଗର ଶିକ୍ଷକ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• ଜାତୀୟ ଶିକ୍ଷା ନୀତିକୁ ଲାଗୁ ନକରି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଇଛି ପଶ୍ଚିମବଙ୍ଗ ସରକାର
• ରାଜ୍ୟର ହଜାର ହଜାର ସ୍କୁଲରେ ଶିକ୍ଷକ ନାହାନ୍ତି, ଯାହା ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟକୁ ଦର୍ଶାଉଛି

କୋଲକାତା, ୧୪ ଫେବୃଆରୀ, ୨୦୨୬ – ବର୍ତ୍ତମାନ ସମୟରେ  ଶିକ୍ଷା ବଦଳରେ ଭୋଟ୍ ବ୍ୟାଙ୍କ୍ ରାଜନୀତି ପଶ୍ଚିମବଙ୍ଗ ସରକାରଙ୍କ ପ୍ରାଥମିକତା ହୋଇଛି ବୋଲି ଆଜି କୋଲକାତା ଠାରେ ଆୟୋଜିତ ‘ମହାନଗର ଶିକ୍ଷକ ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମବଙ୍ଗ ପବିତ୍ର ମାଟି ଭାରତକୁ ବୌଦ୍ଧିକ ଏବଂ ବୈଚାରିକ ନେତୃତ୍ୱ ପ୍ରଦାନ କରିଛି । ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ଭଳି ମହାପୁରୁଷମାନେ ଦେଶକୁ ଦିଶା ଦେଖାଇଛନ୍ତି । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କାଳଜୟୀ ରଚନା ‘ବନ୍ଦେ ମାତରମ୍’ ଆଜି ୧୫୦ ବର୍ଷ ପୂରଣ କରିଛି, ଯାହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରେରଣା ଥିଲା ।

କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ‘ମାଁ, ମାଟି, ମାନୁଷ’ର ନାରା ଦେଉଥିବା ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ଶିକ୍ଷା ଆଜି ପ୍ରାଥମିକତା ନୁହେଁ ବରଂ ଭୋଟ୍ ବ୍ୟାଙ୍କ ଏବଂ ତୁଷ୍ଟୀକରଣ ରାଜନୀତିରେ ସରକାର ବ୍ୟସ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଣାଯାଇଥିବା ‘ଜାତୀୟ ଶିକ୍ଷା ନୀତି ୨୦୨୦’କୁ ଲାଗୁ ନକରି ରାଜ୍ୟ ସରକାର ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି । ରାଜ୍ୟର ହଜାର ହଜାର ସ୍କୁଲରେ ଶିକ୍ଷକ ନାହାନ୍ତି, ଯାହା ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟକୁ ଦର୍ଶାଉଛି । ସମଗ୍ର ଶିକ୍ଷା ଅଭିଯାନ, ପିଏମ୍ ଶ୍ରୀ ସ୍କୁଲ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରାଜ୍ୟରେ ଅଟକାଇ ଦିଆଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷାକୁ ରାଜନୀତିର ଊର୍ଦ୍ଧ୍ୱରେ ରଖିଲେ ହିଁ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ ହେବ। “ବିକଶିତ ବଙ୍ଗଳା ଏବଂ ବିକଶିତ ଭାରତ” ଗଠନର ସ୍ୱପ୍ନ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ବିଜେପି ସରକାରଙ୍କ ସଂକଳ୍ପ ଦ୍ୱାରା ହିଁ ସାକାର ହୋଇପାରିବ ।

ଏହି ସମ୍ମିଳନୀରେ ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକମାନଙ୍କ ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ ଶିକ୍ଷକ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply