ନୂତନ ବର୍ଷ ୨୦୨୬ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ,‘ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେଉ – ଧର୍ମେନ୍ଦ୍ର ପ୍ରଧାନ
• ୨୦୨୬ରେ ସକରାତ୍ମକ ଚିନ୍ତାଧାରା ସହ ନୂତନ ଆରମ୍ଭକୁ ସ୍ୱାଗତ କରିବା
• ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସାମୂହିକ ଉଦ୍ୟମ କରିବା
ଭୁବନେଶ୍ୱର, ୩୧ ଡିସେମ୍ବର, ୨୦୨୫ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଭାରତବାସୀ ତଥା ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷ-୨୦୨୬ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସେ ଏହି ଆଗାମୀ ବର୍ଷକୁ ନୂତନ ସମ୍ଭାବନା, ସକରାତ୍ମକତା ଏବଂ ଉଲ୍ଲାସର ବର୍ଷ ଭାବେ ଅଭିହିତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୨୬ ବର୍ଷଟି କେବଳ ଏକ କ୍ୟାଲେଣ୍ଡର ପରିବର୍ତ୍ତନ ନୁହେଁ, ବରଂ ଏହା ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ନୂତନ ସମ୍ଭାବନା ଓ ଉନ୍ମାଦନାର ବର୍ଷ । ‘ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେବ । ତେଣୁ ଆମକୁ ସକରାତ୍ମକ ଚିନ୍ତାଧାରା ସହ ଏହି ନୂତନ ଆରମ୍ଭକୁ ସ୍ୱାଗତ କରିବାକୁ ହେବ । ନୂଆବର୍ଷର ସୂର୍ଯ୍ୟ କେବଳ ବଙ୍ଗୋପସାଗରର ନୀଳ ଜଳରାଶିରେ ଉଦୟ ହେବ ନାହିଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ୱାଭିମାନ ଓ ଉଜ୍ଜ୍ୱଳ ଭବିଷ୍ୟତର ସୂର୍ଯ୍ୟ ଭାବେ ପ୍ରକାଶିତ ହେବ ।
୨୦୩୬ରେ ଭାଷା ଭିତ୍ତିରେ ଓଡ଼ିଶା ଗଠନର ଶତବାର୍ଷିକୀ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅମୃତ କାଳରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଆରୋଗ୍ୟ କାମନା କରିଛନ୍ତି । ପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୬ ପ୍ରତ୍ୟେକ ପରିବାରରେ ହସଖୁସି ଭରିଦେଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଶେଷରେ ଶ୍ରୀ ପ୍ରଧାନ ସମସ୍ତ ଓଡ଼ିଶାବାସୀଙ୍କୁ ଏକଜୁଟ ହୋଇ ରାଜ୍ୟ ଓ ଦେଶର ବିକାଶରେ ସହଭାଗୀ ହେବାକୁ ନିବେଦନ କରିବା ସହ ପୁନର୍ବାର ନବବର୍ଷର ଅନେକ ଶୁଭକାମନା ଜଣାଇଛନ୍ତି।
