ରାଉରକେଲାରେ ‘ଏବିଭିପି, ଓଡିଶା ପଶ୍ଚିମ’ର ୫୦ତମ ରାଜ୍ୟ ଅଧିବେଶନରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ , ସ୍ୱାଧୀନୋତ୍ତର ଭାରତରେ ବ୍ୟକ୍ତିତ୍ୱ ଗଠନର ସର୍ବବୃହତ ମୁକ୍ତ ବିଶ୍ୱବିଦ୍ୟାଳୟ ହେଉଛି ‘ଏବିଭିପି’ – ଧର୍ମେନ୍ଦ୍ର ପ୍ରଧାନ
• ୩୪ ବର୍ଷ ପୂର୍ବେ ମୁଁ ରାଉରକେଲା ପ୍ରାଦେଶିକ ଅଧିବେଶନରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଯୋଗ ଦେଇଥିଲି
• ଆଜି ଭାରତର ଶିକ୍ଷା ମନ୍ତ୍ରୀ ଭାବେ ଅଧିବେଶନରେ ରହିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ
• ୧୯୮୩ ମସିହାରୁ ୨୦୨୫ ପର୍ଯ୍ୟନ୍ତ ମୋର ଯାତ୍ରା ଏବିଭିପିର କାର୍ଯ୍ୟପଦ୍ଧତି ଏବଂ ବୈଚାରିକ ପ୍ରତିବଦ୍ଧତାର ଏକ ପ୍ରତିଫଳନ
• ଏବିଭିପି ଛାତ୍ରଛାତ୍ରୀଙ୍କୁ ୭ଟି ପ୍ରମୁଖ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ
• ୨୦୩୬ରେ ସମୃଦ୍ଧ ଓଡ଼ିଶାର ସଂକଳ୍ପ ନେଇ ଆଗକୁ ବଢିବା
• ଜାତୀୟ ଶିକ୍ଷା ନୀତି ଅନୁସାରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା
• ଓଡ଼ିଶାର କୌଣସି ଶିଶୁ ଯେପରି କୁପୋଷଣର ଶିକାର ନହେବେ, ସେଥିପ୍ରତି ଦାୟିତ୍ୱ ନେବା
• ‘ବିକଶିତ ଭାରତ’ ପାଇଁ ଆମକୁ ମାନବ ସମ୍ବଳର କାର୍ଯ୍ୟଶକ୍ତି ୫୦% ରୁ ୭୫% କୁ ବୃଦ୍ଧି କରିବା
• ଯୁବପିଢ଼ିଙ୍କୁ ‘ଚାକିରି ଖୋଜିବା’ ବଦଳରେ ‘ଚାକିରି ତିଆରି କଲାଭଳି’ ପରିବେଶ ପ୍ରସ୍ତୁତ କରିବା
• ‘ବିଶ୍ୱଗୁରୁ’ ହେବା ପାଇଁ ବିଶ୍ୱର ସମସ୍ୟାର ସମାଧାନ କରିବା ଦିଗରେ ଅଗ୍ରସର ହେବା
• ପରିବେଶକୁ ସ୍ୱଚ୍ଛ ରଖିବା ସହ ସ୍ୱାସ୍ଥ୍ୟ ସଚେତନତା କରାଇବା ଦିଗରେ ଆହୁରି ଆଗକୁ ବଢିବା
ରାଉରକେଲା, ଡିସେମ୍ବର ୨୭ – ୧୯୪୯ ମସିହାରୁ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଏବିଭିପି ଏକ ସର୍ବଶ୍ରେଷ୍ଠ ‘ମୁକ୍ତ ବିଶ୍ୱବିଦ୍ୟାଳୟ’ ଭାବେ ବୈଚାରିକ ସ୍ପଷ୍ଟତାକୁ ନେଇ ସଫଳ ନେତୃତ୍ୱ ଗଠନ କରିବା ସଙ୍ଗେସଙ୍ଗେ ଏକ ବୃହତ ଓ ଯୁବ ଆନ୍ଦୋଳନ ସୃଷ୍ଟି କରିଛି ବୋଲି ରାଉରକେଲା ଠାରେ ‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶା ପଶ୍ଚିମ’ର ୫୦ତମ ରାଜ୍ୟ ଅଧିବେଶନରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଥିଲେ ଭାରତବର୍ଷରେ ଏବିଭିପି ଗଠନର ୭୬ ବର୍ଷ ପୂରଣ ହୋଇଥିବାବେଳେ ଓଡ଼ିଶାର ସାମାଜିକ ଜୀବନରେ ଏହା ଏକ ଗଭୀର ପ୍ରଭାବ ପକାଇଛି । ଆଜିଠାରୁ ଠିକ୍ ୩୪ ବର୍ଷ ପୂର୍ବେ ମୁଁ ରାଉରକେଲା ପ୍ରାଦେଶିକ ଅଧିବେଶନରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଯୋଗ ଦେଇଥିଲି । ସେହି ସମୟରୁ ଆଜି ଭାରତର ଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ରହି ଅତିଥି ଭାବେ ଯୋଗଦେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ । ୧୯୮୩ ମସିହାରୁ ୨୦୨୫ ପର୍ଯ୍ୟନ୍ତ ଏହି ଯାତ୍ରା କେବଳ ମୋର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ଏବିଭିପିର କାର୍ଯ୍ୟପଦ୍ଧତି ଏବଂ ବୈଚାରିକ ପ୍ରତିବଦ୍ଧତାର ଏକ ପ୍ରତିଫଳନ ।
ସେ କହିଥିଲେ ଯୁବପିଢିଙ୍କ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦ, ଶହୀଦ ଭଗତ ସିଂହ, ବିର୍ସା ମୁଣ୍ଡା, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଏବଂ ବୀର ବାଜି ରାଉତଙ୍କ ଭଳି ମହାପୁରୁଷଙ୍କର ଆମେ ସ୍ଲୋଗାନ ଦେଉଛୁ, ଯେଉଁ ବୀରମାନେ ନିଜର ଭୌତିକ ସୁଖ ତ୍ୟାଗ କରି ସମାଜ ଓ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏବିଭିପିର ବିଚାର କୌଣସି ନୂଆ ବିଚାର ନୁହେଁ, ବରଂ ଏହା ଅନନ୍ତ କାଳରୁ ଥିବା ଭାରତୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷା ପ୍ରଣାଳୀକୁ ନୂଆପିଢ଼ି ପାଖରେ ପହଞ୍ଚାଇବାର ଏକ ମାଧ୍ୟମ ।
ରାଉରକେଲାକୁ ‘ଲଘୁ ଭାରତ’ ବୋଲି କୁହାଯାଏ । ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାରେ ପରିଷଦର କାମ ପ୍ରାୟ ୪୦ରୁ ୪୫ ବର୍ଷର ପୁରୁଣା । ରାଉରକେଲାର ସରସ୍ୱତୀ ଶିଶୁ ମନ୍ଦିରର ପ୍ରେରଣାରୁ ଆରମ୍ଭ ହୋଇଥିବା ‘ଶିଶୁ ବାଟିକା’ ଆଜି ଭାରତର ନୂତନ ଶିକ୍ଷା ନୀତିର ଏକ ଅଂଶ । ସେ କହିଥିଲେ, ଆମେ କେବଳ ଇଂରାଜୀ ଶାସନରେ ପରାଧୀନ ନଥିଲେ, ବରଂ ଦଶମ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଆମେ ପରାଧୀନତା ସହିଛୁ । ଏହି ସମୟରେ ଆମ ସଭ୍ୟତା ଓ ସଂସ୍କୃତି ଉପରେ ଅନେକ ଆକ୍ରମଣ ହୋଇଥିଲେ ମଧ୍ୟ ଭାରତୀୟ ଅସ୍ମିତା ବଞ୍ଚି ରହିଥିଲା । ମୋର ଦୃଢ଼ ବିଶ୍ୱାସ ଯେ, ଆଗାମୀ ୫୦ ବର୍ଷର ନେତୃତ୍ୱ ଆମ ଯୁବପିଢ଼ି ନେବେ।
ଶ୍ରୀ ପ୍ରଧାନ କହିଛନ୍ତି, ୧୯୪୯ ମସିହାରୁ ଏବିଭିପି ସେହି ଦେଶପ୍ରେମର ବହ୍ନିକୁ ଯୁବକମାନଙ୍କ ମଧ୍ୟରେ ନିରନ୍ତର ପ୍ରଜ୍ୱଳିତ କରି ରଖିଛି । ରାଷ୍ଟ୍ର ପୁନର୍ନିମାଣର ଏହି ଆନ୍ଦୋଳନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଉଛି ବଟବୃକ୍ଷ, ଯାହାର ଏକ ଶାଖା ରୂପେ କାମ କରୁଥିବା ଏବିଭିପିର ଦାୟିତ୍ୱ ବହୁତ ଅଧିକ । ଦେଶକୁ ସମୃଦ୍ଧ କରିବା ପାଇଁ ଦାୟିତ୍ୱ ନେବାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କୌଣସି ବିକଳ୍ପ ନାହିଁ ।
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଏବିଭିପି ଛାତ୍ରଛାତ୍ରୀଙ୍କୁ ୭ଟି ପ୍ରମୁଖ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ ଗୁଡ଼ିକ ହେଲା ୨୦୩୬ରେ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ସମୃଦ୍ଧ ଓଡ଼ିଶାର ସଂକଳ୍ପ ନେବା, ଜାତୀୟ ଶିକ୍ଷା ନୀତି ଅନୁସାରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା, ଓଡ଼ିଶାର କୌଣସି ଶିଶୁ ଯେପରି କୁପୋଷଣର ଶିକାର ନହେବେ, ସେଥିପ୍ରତି ଦାୟିତ୍ୱ ନେବା, ‘ବିକଶିତ ଭାରତ’ ପାଇଁ ଆମକୁ ମାନବ ସମ୍ବଳର କାର୍ଯ୍ୟଶକ୍ତି ୫୦% ରୁ ୭୫% କୁ ବୃଦ୍ଧି କରିବା, ଯୁବପିଢ଼ିଙ୍କୁ ‘ଚାକିରି ଖୋଜିବା’ ବଦଳରେ ‘ଚାକିରି ତିଆରି କଲାଭଳି’ ପରିବେଶ ପ୍ରସ୍ତୁତ କରିବା, ‘ବିଶ୍ୱଗୁରୁ’ ହେବା ପାଇଁ ବିଶ୍ୱର ସମସ୍ୟାର ସମାଧାନ କରିବା ଦିଗରେ ଅଗ୍ରସର ହେବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ସହ ସ୍ୱାସ୍ଥ୍ୟ ସଚେତନତା କରାଇବା ଦିଗରେ ଆହୁରି ଆଗକୁ ବଢିବା ବୋଲି ସେ ମତପ୍ରକାଶ କରିଥିଲେ ।
