Odisha news

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ “ନୂତନ ପିଢ଼ୀ ପାଇଁ ସଠିକ ପଥ” ଉପରେ ଭବ୍ୟ କାର୍ଯ୍ୟକ୍ରମ

0
ବାଙ୍ଗାଲୋର (Suvendra Pattanaik) : ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ (BOSS) ପକ୍ଷରୁ “ନୂତନ ପିଢ଼ୀ ପାଇଁ ସଠିକ ପଥ – ଆଗାମୀ ପିଢ଼ୀର ଗଠନ ଓ ପରିଚର୍ଯ୍ୟା” ଶିରୋନାମରେ ଏକ ଚିନ୍ତନପ୍ରବଣ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଭାସୀ ମଞ୍ଚରେ ଭବ୍ୟ ଆୟୋଜନ କରାଯାଇଥିଲା। ପିଲାମାନଙ୍କ ଚରିତ୍ରଗଠନ, ଡିଜିଟାଲ୍ ଯୁଗର ପ୍ରଭାବ, ଓଡ଼ିଆ ସଂସ୍କୃତି ବୋଧ ଏବଂ ଅଭିଭାବକତ୍ତ୍ୱର ଆଧୁନିକ ଚିତ୍ର ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ୱିପ୍ରୋ ସଂସ୍ଥାର ଅନ୍ତର୍ଜାତୀୟ ପ୍ରତିଭା ପ୍ରଶିକ୍ଷଣ ବିଭାଗ (ଡିଜିଟାଲ୍ ଓ କୃତ୍ରିମ ବୁଦ୍ଧି)ର ଗ୍ଲୋବାଲ ମୁଖ୍ୟ ଅଧିକାରୀ ସମ୍ମାନନୀୟ ସୂର୍ଯ୍ୟପ୍ରକାଶ ମହାପାତ୍ର ଯୋଗଦେଇଥିଲେ। ସେ ପିଲାମାନଙ୍କ ସ୍କିଲ୍ ବିକାଶ, ଡିଜିଟାଲ୍ ଅଭିଗମନର ସଠିକ ଦିଗନିର୍ଦ୍ଦେଶ ଏବଂ ଅଭିଭାବକମାନଙ୍କ ନୂତନ ଭୂମିକା ବିଷୟରେ ସାରଗର୍ଭୀ ମତାମତ ରଖିଥିଲେ।
ଅତିଥି ବକ୍ତା ଭାବେ କାନାଡାରୁ ଡା. ସୁନନ୍ଦା ମିଶ୍ର ପଣ୍ଡା, ଯୁକ୍ତରାଜ୍ୟରୁ ଶ୍ରୀମତୀ ଜୟଶ୍ରୀ ନନ୍ଦ ଏବଂ ଆୟରଲ୍ୟାଣ୍ଡରୁ ଶ୍ରୀମତୀ ଶ୍ରୀମାରାଣୀ ଦାଶ ଯୋଗଦେଇଥିଲେ। ସେମାନେ ପିଲାମାନଙ୍କ ନୈତିକ ଗଠନ, ସାହିତ୍ୟ ଆସକ୍ତି, ଏବଂ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ବିଷୟରେ ମୂଲ୍ୟବାନ ଚିନ୍ତାଧାରା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସମାଜର ପୁରୋଧା ତାପସରାଜ୍ ମହାରଣା ପରିଚାଳନା କରିଥିବା ବେଳେ, ବିଶ୍ୱଭାରତୀ ଦାଶ ଗୋସ୍ୱାମୀ, ଯାଜ୍ଞସେନି ପଣ୍ଡା, ଲୋପାମୁଦ୍ରା ପରିଡ଼ା, ଦୁର୍ଗେଷନନ୍ଦିନୀ ଦାଶ, ସ୍ଵପ୍ନା କୁମାର୍ ଏବଂ ତପସ୍ୱିନୀ ଷଡ଼ଙ୍ଗୀଙ୍କ ସମେତ ବହୁ ସଦସ୍ୟଙ୍କ ସକ୍ରିୟ ଯୋଗଦାନ ଉଲ୍ଲେଖନୀୟ ଥିଲା।
ଶେଷରେ ପ୍ରଶାନ୍ତ କୁମାର ନାଥ ସମସ୍ତ ଅତିଥି, ବକ୍ତା, ଶ୍ରୋତା ଓ ସଦସ୍ୟମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଜଣାଇ କହିଥିଲେ—“ଏହା ଆମର ନୂଆ ଯାତ୍ରାର ଆରମ୍ଭ। ଆଗାମୀ ମାସରେ ପୁଣି ଏହି ମଞ୍ଚରେ ସମସ୍ତଙ୍କୁ ଭେଟିବା ଆଶା କରୁଛୁ।”
ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଶିକ୍ଷା ଏବଂ ସାମାଜିକ ସଚେତନତା ଦିଗରେ ଆଗାମୀଦିନରେ ନୂତନ ପଦକ୍ଷେପ ନେବାକୁ ସଂକଳ୍ପବଦ୍ଧ.
Leave A Reply