ଏୗତିହାସିକ କଟକ ବାଲିଯାତ୍ରା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଟ୍ରାଫିକ୍ ପରିଚାଳନା ସହ ଶୃଙ୍ଖଳିତ ବାଲିଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର, ତା ୧୭.୯.୨୦୨୫ : କଟକରେ ଏୗତିହାସିକ ବାଲିଯାତ୍ରା-୨୦୨୫ ଅନୁଷ୍ଠିତ ହେବା ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଗତକାଲି ସୋମବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନଙ୍କ ସୁରକ୍ଷା. ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଓ ପରିଚାଳନା ସହ ଶୃଙ୍ଖଳିତ ବାଲିଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବ୍ୟବସ୍ଥା କରିବାକୁ ସମସ୍ତ ସହଯୋଗୀ ବିଭାଗ ଓ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ସାଂସ୍କୃତିକ ଉତ୍ସବ, ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ, ସମସ୍ତ ପ୍ରକାର ପଣ୍ୟଦ୍ରବ୍ୟର ବିଶାଳ ବଜାରକୁ ନେଇ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଥିବା ଏହି ବୃହତ୍ ବାଣିଜ୍ୟିକ ମେଳା-କଟକ ବାଲିଯାତ୍ରାକୁ ସୁଚାରୁରୂପେ ଏବଂ ଆକର୍ଷଣୀୟ ଭାବେ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।
ବାଲିଯାତ୍ରା ବିଭିନ୍ନ ସଂସ୍କୃତି, ଭାଷା, ଧର୍ମ ଓ ପରମ୍ପରାକୁ ଏକାଠି କରି ଏକତାର ସୂତ୍ରରେ ବାନ୍ଧି ହେବା ପାଇଁ ଅନନ୍ୟ ସୁଯୋଗ ଦେଇଥାଏ । ପ୍ରତିବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଜନ ଗହଳି ପରିଲ୍ଲଖିତ ହୋଇଥାଏ । ଗତ ବର୍ଷ ବାଲିଯାତ୍ରାରେ ୬୦ ରୁ ଅଧିକ ପ୍ରମୁଖ କର୍ପୋରେଟ୍ ସଂସ୍ଥାମାନେ ଅଂଶ ଗ୍ରହଣ କରିଥିଲେ । ଗତବର୍ଷ ବାଲିଯାତ୍ରାରେ ମୋଟ ୨୦୦ କୋଟିର ବ୍ୟବସାୟ ହୋଇଥିବା ବେଳେ କେବଳ ଓରମାସରେ ୫୦ କୋଟିର ବ୍ୟବସାୟ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏ ବର୍ଷ ବାଲିଯାତ୍ରାରେ ୭୦ ଲକ୍ଷରୁ ଅଧିକ ଲୋକ ଆସିବାର ଆଶା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରାରେ ଜନଗହଳି ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ନିମନ୍ତେ କମିଶନରେଟ୍ ପୋଲିସ୍ ତରଫରୁ ସୁନିୟନ୍ତ୍ରିତ ବ୍ୟାପକ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସବ ସଚିବ ଗୁରୁତ୍ୱ ଦେଇଛନ୍ତି । ପୋଲିସ୍ କଣ୍ଟ୍ରୋଲରୁମ ସହ ବିଭିନ୍ନ ଜରୁରୀ ଆବଶ୍ୟକତା ଥିବା ସେବା ଶିବିରଗୁଡ଼ିକ ପାଖାପାଖି ରଖାଯିବା, ସମନ୍ୱିତ ବ୍ୟବସ୍ଥାରେ ଡାକବାଜି ଯନ୍ତ୍ରର ବ୍ୟବହାର କରାଯାଇ ଜରୁରୀ ସୂଚନା ପ୍ରଦାନ ବ୍ୟବସ୍ଥା, ମହିଳା, ଶିଶୁ, ବୟସ୍କ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ସହାୟତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍(ଡିସିପିୟୁ) ଶିବିର ପୋଲିସ୍ କଣ୍ଟ୍ରୋଲ ରୁମ୍ ନିକଟରେ ରଖାଯିବା ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି ।
ବୈଠକରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଚଳିତ ବର୍ଷ କଟକ ବାଲିଯାତ୍ରା ପରିପ୍ରେକ୍ଷୀରେ ଅଦ୍ୟାବଧି ହୋଇଥିବା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ । ଏୗତିହାସିକ ବାଲିଯାତ୍ରା, କଟକ ଏ ବର୍ଷ ନଭେମ୍ବର ୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ପର୍ୟ୍ୟନ୍ତ ୮ ଦିନ ଧରି ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ବାଲିଯାତ୍ରା ପଡ଼ିଆର ଉନ୍ନତିକରଣ କାର୍ୟ୍ୟ ଜାରି ରହିଛି । ପ୍ରସ୍ତୁତି କାର୍ୟ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିବା ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ଉନ୍ନତି କରଣ ଓ ପାର୍କିଂସ୍ଥଳ ବ୍ୟବସ୍ଥା, ଟିପିସିଓଡିଏଲ ପକ୍ଷରୁ ବାଲିଯାତ୍ରା ସ୍ଥଳକୁ ବିଦ୍ୟୁତ୍ ସରବରାହ ଓ ବିଦ୍ୟୁତ୍ ସଂଯୋଗୀକରଣ, ଓ୍ୱାଟକୋ ପକ୍ଷରୁ ଜଳ ଯୋଗାଣ ପାଇଁ ରହିଥିବା କାର୍ୟ୍ୟ, କଟକ ମହାନଗର ନିଗମ କମିଶନର ତରଫରୁ ବାଲିଯାତ୍ରା ପଡ଼ିଆର ସଫେଇ ଓ ଶୌଚାଳୟର ପରିସ୍କାର ପରିଚ୍ଛନ୍ନତା, ଖାଦ୍ୟ ନିରାପତ୍ତା ପାଇଁ ଟିମ୍ ମୁତୟନ ଆଦି ସଂପର୍କରେ ପଦକ୍ଷେପ ନିଆଯାଉଥିବା ନେଇ ଆଲୋଚନା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପର୍ୟ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ ବିଜୟ କେତନ ଉପାଧ୍ୟାୟ, ସିଏମ୍ସି କମିଶନର କିରଣଦୀପ କୌର ସହୋଟା, କଟକ-ଭୁବନେଶ୍ୱର ପୁଲିସ ଆୟୁକ୍ତ ଡଃ ଏସ୍ ଦେବଦତ୍ତ ସିଂ, କଟକ ଡିସିପି ଶ୍ରୀ ଖିଲାରୀ ଋଷିକେଶ ଡାନଦେଓଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା ।
ଅଗ୍ନି ନିରାପତ୍ତା ପାଇଁ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ମୁତୟନ ସହିତ ନଦୀ ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା ପାଇଁ ଏନ୍ଡିଆରଏଫ୍, ଓଡ୍ରାଫ ଟିମ୍ ମୁତୟନ ରହିବେ ।ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ପାଇଁ ଯୋଜନା ଓ ସ୍ଥାନ ଆବଣ୍ଟନ କମିଟି, କାର୍ୟ୍ୟକ୍ରମ ଆୟୋଜନ କମିଟି, ସାଂସ୍କୃତିକ କମିଟି, ଗଣମାଧ୍ୟମ ସମନ୍ୱୟ କମିଟି, ଅଭ୍ୟର୍ଥନା କମିଟି, ପାର୍କିଂ କମିଟି, ମଞ୍ଚ ପରିଚାଳନା କମିଟି, ଏନ୍ଫୋର୍ସମେଣ୍ଟ ଟିମ୍, ଯାଞ୍ଚ ଏବଂ ସୁରକ୍ଷା କମିଟି, ପରିମଳ, ବିଦ୍ୟୁତିକରଣ କମିଟି ଆଦି ମାଧ୍ୟମରେ ବାଲିଯାତ୍ରା ସୁପରିଚାଳନା କରାଯାଉଥିବା ସଂପର୍କରେ ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ । କଣ୍ଟ୍ରୋଲ ରୁମ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଉପଯୁକ୍ତ ଭାବରେ ଉଜ୍ୱଳ ସାଇନେଜ(ସୂଚନା ବ୍ୟବସ୍ଥା) ପ୍ରଦର୍ଶନ କରାଯିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଥିଲେ ।
ଏଥର ବାଲିଯାତ୍ରରେ ‘‘ଓଡ଼ିଆ ଅସ୍ମିତା-ଆମ ଭାଷା ଆମ ସାହିତ୍ୟ’’ ନୂଆ ଥିମ୍କୁ ନେଇ ଏକ ମଣ୍ଡପ ଶୋଭା ପାଇବ, ଯେଉଁଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଭିନ୍ନ କାର୍ୟ୍ୟକ୍ରମ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଆଦି ଅନୁଷ୍ଠିତ ହେବ । ସେହିପରି ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ ) ଏନକ୍ଲେଭ୍ ( ପ୍ରଦର୍ଶନୀ) ଅନୁଷ୍ଠିତ ହେବ । ବୈଠକରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ସ୍ଥାନୀୟ, ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଦେଶ ବିଦେଶରୁ ସ୍ୱନାମଧନ୍ୟ କଳାକାରମାନେ ଅଂଶଗ୍ରହଣ ସଂପର୍କରେ ମଧ୍ୟ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।