Odisha news

ଦିଲ୍ଲୀ ଶିକ୍ଷକ ସମ୍ମାନ ସମାରୋହ “ଶିକ୍ଷକ ମହାକୁମ୍ଭ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ , ଶିକ୍ଷକ ସମାଜ ଜ୍ଞାନର ଆଲୋକକୁ ଉଜାଗର କରନ୍ତି – ଧର୍ମେନ୍ଦ୍ର ପ୍ରଧାନ

0

ଗୁରୁ ଦେଖାଇଥିବା ମାର୍ଗକୁ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ
‘ବିକଶିତ, ସ୍ୱାବଲମ୍ବୀ ଏବଂ ସମୃଦ୍ଧ ଭାରତ’ ଗଠନ କରିବା ପାଇଁ ଦେଶର ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ତିନୋଟି ପ୍ରମୁଖ ଆହ୍ୱାନ ଉପରେ କଲେ ଆଲୋକପାତ  
ସୁସ୍ଥ ଜୀବନଶୈଳୀ ପାଇଁ ଛାତ୍ରଛାତ୍ରୀମାନଙ୍କୁ କମ୍ ଖାଦ୍ୟ ତେଲ ବ୍ୟବହାର କରିବାକୁ ପ୍ରେରଣା ଦେବା
‘ଖେଲୋ ଇଣ୍ଡିଆ’ ଭଳି ଅଭିଯାନ ସହିତ ପିଲାମାନଙ୍କୁ ଯୋଡ଼ି ଖେଳ ପ୍ରତି ଉତ୍ସାହିତ କରିବା
ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାକୁ ପ୍ରେରଣା ଦେବା
ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୫ – ସମାଜରେ ଜ୍ଞାନର ଆଲୋକକୁ ପ୍ରଜ୍ଜ୍ୱଳିତ କରିବାରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନୂଆଦିଲ୍ଲୀ ଠାରେ ଆୟୋଜିତ ଦିଲ୍ଲୀ ଶିକ୍ଷକ ସମ୍ମାନ ସମାରୋହ “ଶିକ୍ଷକ ମହାକୁମ୍ଭ” ସେପରି ଭାବରେ ଗୁରୁ ଏବଂ ଶିକ୍ଷକମାନଙ୍କ ପାଇଁ ସମର୍ପିତ ଉତ୍ସବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦିଲ୍ଲୀରେ ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ ଏହି ଉତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘୨୦୪୭ ସୁଦ୍ଧା ବିକଶିତ ଭାରତ’ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ସଂକଳ୍ପକୁ ପୂରଣ କରିବା ପାଇଁ ‘ଜାତୀୟ ଶିକ୍ଷା ନୀତି – ୨୦୨୦’ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ‘ବିକଶିତ ଭାରତ’ର ସ୍ୱପ୍ନ କେବଳ ଭବିଷ୍ୟତ ପିଢ଼ିଙ୍କ ଦ୍ୱାରା ସାକାର ହେବ ଯେଉଁମାନେ ଦେଶର ଗୁରୁ ଏବଂ ଶିକ୍ଷକମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବେ । ‘ବିକଶିତ, ସ୍ୱାବଲମ୍ବୀ ଏବଂ ସମୃଦ୍ଧ ଭାରତ’ ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷକମାନଙ୍କୁ ଦେଇଥିବା ତିନୋଟି ପ୍ରମୁଖ ଆହ୍ୱାନ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ, ସୁସ୍ଥ ଜୀବନଶୈଳୀ ପାଇଁ ଛାତ୍ରଛାତ୍ରୀମାନଙ୍କୁ କମ୍ ଖାଦ୍ୟ ତେଲ ବ୍ୟବହାର କରିବାକୁ ପ୍ରେରଣା ଦେବା । ‘ଖେଲୋ ଇଣ୍ଡିଆ’ ଭଳି ଅଭିଯାନ ସହିତ ପିଲାମାନଙ୍କୁ ଯୋଡ଼ି ଖେଳ ପ୍ରତି ଉତ୍ସାହିତ କରିବା । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାକୁ ପ୍ରେରଣା ଦେବା ପାଇଁ ସେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ‘ଗୁରୁ ଦିବସ’ ଅବସରରେ ‘ନିପୁଣ ସଂକଳ୍ପ’ ଆରମ୍ଭ ହେବା ଅବସରରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ‘ନିପୁଣ ଅଭିଯାନ’ ମାଧ୍ୟମରେ ଦିଲ୍ଲୀ ସରକାର ଭବିଷ୍ୟତ ପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ‘ବିକଶିତ ଭାରତ – ବିକଶିତ ଦିଲ୍ଲୀ’ ସ୍ୱପ୍ନକୁ ସାକାର କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ମହାନ ଶିକ୍ଷାବିତ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।’ଶିକ୍ଷକ ମହାକୁମ୍ଭ’ରେ ଦିଲ୍ଲୀ ଏନସିଟିର ବିଭିନ୍ନ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ।

Leave A Reply