ଓଡ଼ିଶା ୨୦୨୪ ନିର୍ବାଚନୀ ସମ୍ପର୍କିତ ପୁସ୍ତକ “ଭଏସ୍ ଆଣ୍ଡ୍ ଭୋଟ୍ସ” ଉନ୍ମୋଚିତ , ଆକ୍ସିଡେଣ୍ଟାଲ୍ ନୁହେଁ, ଜନଆସ୍ଥା, ତ୍ୟାଗ ଓ ପରିଶ୍ରମ ବଳରେ ଓଡ଼ିଶାରେ ସରକାର କରିଛି ବିଜେପି – ଧର୍ମେନ୍ଦ୍ର ପ୍ରଧାନ
• ଲେଖକ ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନା ଏବଂ ପ୍ରକାଶକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶା ଏବଂ ସର୍ବଭାରତୀୟ ସ୍ତରରେ ବିଜେପି ରାଜନୈତିକ ଯାତ୍ରା ଉପରେ ଆଲୋକପାତ କଲେ
• ଭାରତୀୟ ଜନତା ପାର୍ଟି କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର
• ‘ଓଡ଼ିଆ ଅସ୍ମିତା’ ରାଜନୈତିକ ପ୍ରସଙ୍ଗ ନୁହେଁ, ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷାର ଅବଧାରଣା
• ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା ହେଉଛି ‘ଓଡ଼ିଆ ଅସ୍ମିତା’
• ଲୋକ ଆକାଂକ୍ଷା ଓ ଅପେକ୍ଷାକୁ ସାକାର କରୁଛନ୍ତି ଡବଲ ଇଞ୍ଜିନ ସରକାର
ଭୁବନେଶ୍ୱର, ଅଗଷ୍ଟ ୨୨ – ଆକ୍ସିଡେଣ୍ଟାଲ୍ ନୁହେଁ ବରଂ ଜନଆସ୍ଥା ଓ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ପରିଶ୍ରମ ବଳରେ ବିଜେପି ଓଡ଼ିଶାରେ ଏକକ ସରକାର କରିପାରିଛି ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ବିଶିଷ୍ଟ ଲେଖକ ତଥା ପ୍ରଫେସର ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନାଙ୍କ ଦ୍ୱାରା ରଚିତ ଇଂରାଜି ପୁସ୍ତକ “ଭଏସ୍ ଆଣ୍ଡ୍ ଭୋଟ୍ସ : ଓଡ଼ିଶା ଇଲେକ୍ଟ୍ରୋରାଲ ରିନେସନ୍ସ ଅଫ୍ – ୨୦୨୪” ପୁସ୍ତକ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସାଂପ୍ରତିକ ଓଡ଼ିଶା ରାଜନୀତିର ଏହି ବିଶ୍ଳେଷଣାତ୍ମକ ପୁସ୍ତକର ଶୁଭ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ ଏହାର ଲେଖକ ତଥା ପ୍ରକାଶକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଇତିହାସ ଓ ବର୍ତ୍ତମାନକୁ ପୁସ୍ତକର ରୂପ ଦେଲେ ଭବିଷ୍ୟତକୁ ଯିବା ସହଜ ହୁଏ । ଗତ କିଛି ଦିନ ପୂର୍ବରୁ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪ – ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକକୁ ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ଓଡ଼ିଶାର ରାଜନୀତିକୁ ଜାଣିବା ପାଇଁ ଆଜି ଏପରି ବିଶ୍ଳେଷଣାତ୍ମକ ପୁସ୍ତକ ଉନ୍ମୋଚନ ସ୍ୱାଗତଯୋଗ୍ୟ । ଏହି ପୁସ୍ତକଟି ସବୁ ବର୍ଗଙ୍କ ପାଖରେ ଆଦୃତ ହେବା ନେଇ କାମନା କରିବା ସହ ଓଡ଼ିଆ ଭାଷାରେ ମଧ୍ୟ ପ୍ରକାଶ କରିବା ପାଇଁ ସେ ଆଗ୍ରହ ରଖିଛନ୍ତି ।
ଓଡ଼ିଶା ଏବଂ ସର୍ବଭାରତୀୟ ସ୍ତରରେ ବିଜେପି ରାଜନୈତିକ ଯାତ୍ରା ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ବିଜେପିର ରାଜନୈତିକ ଅଭ୍ୟୁଦୋୟ, ସଂଖ୍ୟାଲଘୁରୁ ସଂଖ୍ୟାଗରିଷ୍ଠ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାମାନେ ସାମିଲ ହେବା, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା, ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବା ଏବଂ ଗତ ନିର୍ବାଚନରେ ବିଜେପିର ଏକକ ସରକାର ହେବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।
ସେ କହିଥିଲେ ଭାରତୀୟ ଜନସଙ୍ଘ କିମ୍ବା ଭାରତୀୟ ଜନତା ପାର୍ଟି କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର । ବିଜେପି ଏକ ଆକ୍ସିଡେଣ୍ଟାଲ୍ ପାର୍ଟି ଭାବରେ ନୁହେଁ, ବରଂ ଅନେକ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ସମର୍ପଣ ବଳରେ ଏହା ବିଶ୍ୱର ସର୍ବବୃହତ ଦଳ ଭାବରେ ଅଭ୍ୟୁଦୋୟ ହୋଇଛି ଏବଂ ଜନଆଶୀର୍ବାଦରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକକ ସରକାର ଗଠନ କରିଛି । ‘ଓଡ଼ିଆ ଅସ୍ମିତା’ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା, ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା । ଗଣତନ୍ତ୍ରରେ ସମସ୍ତଙ୍କର ନିଜର ନିଜର ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଅଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତେବେ ବିଜେପି ଆକ୍ସିଡେଣ୍ଟାଲ୍ ଭାବେ ନୁହେଁ ବରଂ ନିରନ୍ତର ପ୍ରଚେଷ୍ଟା ପରେ ହିଁ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଥିବାରୁ ରାଜ୍ୟରେ ସରକାର ହୋଇଛି ।
ଆମେ ଯେତେବେଳେ ନ୍ୟୁ ଏଜ୍ ଇକୋନୋମୀ ଏବଂ ବୈଶ୍ୱିକ ସ୍ଥିତି କଥା କହୁଛୁ, ସେ ସମୟରେ ସେମିକଣ୍ଡକ୍ଟର ବିଶ୍ୱରେ ଏକ ବଡ଼ ପ୍ରସଙ୍ଗ ହୋଇଛି । ଖୁସିର ବିଷୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ରାଜ୍ୟରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଧ୍ୟ ମଞ୍ଜୁର ମିଳିଛି । ଅପରପକ୍ଷରେ ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି । ଶିକ୍ଷକଙ୍କୁ ସମ୍ମାନର ସହ ଜୀବନ ମିଳିବା ପାଇଁ ଆମର ପ୍ରତିବଦ୍ଧତା ଥିଲା, ଯାହାକୁ ବର୍ତ୍ତମାନର ବିଜେପି ସରକାର ପୂରଣ କରୁଛନ୍ତି । ଶିକ୍ଷା ହେଉ କିମ୍ବା ବିଭିନ୍ନ ବିକାଶ କ୍ଷେତ୍ରରେ ଥିବା ଲୋକ ଆକାଂକ୍ଷା ଓ ଅପେକ୍ଷାକୁ ଡବଲ ଇଞ୍ଜିନ ସରକାର ସାକାର କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଛନ୍ତି ।
ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପୁସ୍ତକର ଲେଖକଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜାରାମ ଶତପଥୀ, ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରକାଶକ ସୁଭ୍ରାଂଶୁ ପଣ୍ଡା ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ ।