ଭୁବନେଶ୍ୱର,(ନି.ପ୍ର): ‘ଦାଦାବଟିକୁ ନା’ ଅଭିଯାନରେ ମଙ୍ଗଳବାର ଆରକ୍ଷୀ ମହାନିଦେ୍ର୍ଦଶକ ଶ୍ରୀ ଅଭୟ, ପୋଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଦ୍ୱୈତ ନଗରୀ ବାସିନ୍ଦାଙ୍କ ପାଇଁ କେବଳ ଦାଦାବଟି ସଂକ୍ରାନ୍ତରେ ଖବର ଓ ଅଭିଯୋଗ ଦେବା ପାଇଁ ଏକ ଫୋନ ସେବାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଟ୍ୱିନସିଟିବାସୀଙ୍କୁ ପୋଲିସ ଡିଜିଙ୍କ ଅପିଲ୍ କରି କହିଛନ୍ତି ଯେ,ଦାଦାବଟି ମାଗିଲେ ତୁରନ୍ତ ଫୋନ କରନ୍ତୁ । ଏଥିପାଇଁ ଜାରି ହୋଇଛି ହେଲ୍ପଲାଇନ୍ ନମ୍ୱର । ୯୯୩୮୯୧୦୦୦୦ କୁ ଫୋନ କଲେ ଦାଦା ବା ଦାଦାବଟି ମାଗୁଥିବା ଲୋକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ସହରବାସୀ ଭୟଭୀତ ନହୋଇ ଆଗକୁ ଆସନ୍ତୁ ଏବଂ ଏଭଳି ଲୋକଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ । ଏପରି ଜଣାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାସହ ଅଭିଯୋଗକାରୀଙ୍କ ନାମ ଗୋପନୀୟ ରହିବ ବୋଲି ଶ୍ରୀ ଅଭୟ କହିଛନ୍ତି । ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅପରେସନରେ ଦ୍ୱ÷ତନଗରୀରେ ଏଯାବତ୍ ୧୫ ଟି ମାମଲାରେ ୨୪ ଜଣଙ୍କୁ ଗିରଫ କରିସାରିଛି କମିଶନରେଟ୍ ପୋଲିସ ।
କେବଳ ପୂଜା ପାଇଁ ନୁହେଁ କି ଦଶହରା ପାଇଁ ନୁହେଁ ବରଂ ଏହି ଅପରେସନ ଆଗାମୀ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହି ନମ୍ବର କେବଳ ଦ୍ୱୈତନଗରୀ ବାସିନ୍ଦାଙ୍କ ପାଇଁ । ରାଜ୍ୟବ୍ୟାପୀ କରିବା ପାଇଁ ଯୋଜନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।