Odisha news

ଖୋର୍ଦ୍ଧା ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୪୬୪୪୯ ମାମଲାର ଫଇସଲା

0

ଭୁବନେଶ୍ୱର ୧୦/୦୫/୨୦୨୫ : ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଟାଙ୍ଗୀ, ଚିଲିକା ଓ ବେଗୁନିଆଠାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ୍‌ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ କରାଯାଇଛି। ଆଗତ ସର୍ବମୋଟ ୭୬୪୩୭ ଗୋଟି ମାମଲା ମଧ୍ୟରୁ ୪୬୪୪୯ ଗୋଟି ମାମଲାର ଫଇସଲା କରାଯାଇଥିବାବେଳେ ଜରିମାନା/ସେଟେଲ୍‌ମେଣ୍ଟ/ ରାଜସ୍ୱ ଆକାରରେ ସର୍ବମୋଟ ୨୬,୨୭,୦୮,୩୯୫ ଟଙ୍କା ଆଦାୟ ହେବା ପାଇଁ ସ୍ଥିରିକୃତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭୁବନେଶ୍ୱର ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି, ପରିବାର ଅଦାଲତ ଜଜ ମଦନଲାଲ କେଡ଼ିଆ, ନରେଶ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍‌ ହିମାଂଶୁ ଶେଖର ମଲ୍ଲିକ, ଶୁଭଞ୍ଜନ ମହାନ୍ତି, ବନ୍ଦନା କରଙ୍କ ସମେତ ବହୁ ପଦସ୍ଥ ବିଚାର ବିଭାଗୀୟ ଅଧିକାରୀମାନେ ଲୋକ ଅଦାଲତରେ ଉପସ୍ଥିତ ରହି ରେକର୍ଡ ସଂଖ୍ୟକ ମାମଲା ଫଇସଲା କରିଥିଲେ ।

ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ସାଲିସ୍‌ ଯୋଗ୍ୟ ଜମିଜମା, ଫୌଜଦାରୀ, ରାଜସ୍ୱ, ଗାଡ଼ିମୋଟର ଦୁର୍ଘଟଣା ଜନିତ ମାମଲା, ପାରିବାରିକ ଓ ବୈବାହିକ ମାମଲା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ ଓ ଜଳ ଯୋଗାଣ, ବ୍ୟାଙ୍କ ଋଣ ଅନାଦେୟ ଏବଂ ଅନ୍ୟାନ୍ୟ ବହୁ ଜନ ଉପଯୋଗୀ ମାମଲାମାନ ଫଇସଲା କରାଯାଇଥିଲା । ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ଉପସ୍ଥିତ ରହି ଜିଲ୍ଲା ଅଦାଲତମାନଙ୍କରୁ ହସ୍ତଗତ ହୋଇଥିବା ଲୋକ ଅଦାଲତର ଫଳାଫଳକୁ ମାନ୍ୟବର ଜିଲ୍ଲା ଜଜ୍‌ଙ୍କ ପାଖରେ ଉପସ୍ଥାପନା କରିବା ସହ ଏହାର ସାମଗ୍ରିକ ସଫଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଞ୍ଚଳିକ ଜାତୀୟକରଣ ବ୍ୟାଙ୍କ ଅଧିକାରୀ, ଶାଖା ପରିଚାଳକ, ଆଇନଜୀବୀ, ବୀମା ଅଧିକାରୀ ଏବଂ ଅଦାଲତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପରବର୍ତ୍ତୀ ଲୋକ ଅଦାଲତ ଆସନ୍ତା ସେପେଫମ୍ବର ୧୩ ତାରିଖ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ନ୍ୟାୟ ଅଧିକାର ମିତ୍ର ଶ୍ରୀ ସିତେଶ ଆଶିଷ ଜେନା, ପ୍ରଣତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ଦୀର୍ଘଦିନରୁ ବିଚାରାଧୀନ ଥିବା ପାରିବାରିକ ବୈବାହିକ ମାମଲାରେ ପ୍ରଥମ ପରିବାର ଅଦାଲତ, ଭୁବନେଶ୍ୱର କୋର୍ଟଙ୍କ ପକ୍ଷରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପରିବାର ଅଦାଲତ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ବୁଝାମଣା ଭିତ୍ତିରେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିବାରେ ସମର୍ଥ ହୋଇ ସେମାନଙ୍କୁ ରି-ୟୁନିୟନ୍‌ କରାଇଥିଲେ । ସେହିପରି ଦ୍ୱିତୀୟ ପରିବାର ଅଦାଲତ, ଭୁବନେଶ୍ୱରଙ୍କ ପକ୍ଷରୁ ଆଉ ଏକ ବୈବାହିକ ମାମଲାରେ ଉଭୟ ପକ୍ଷଙ୍କୁ ବୁଝାଇବାରେ ସମର୍ଥ ହୋଇ ଉପଯୁକ୍ତ କାଗଜାତ୍‌ରେ ଚୁକ୍ତିନାମା କରାଇ ସେମାନଙ୍କୁ ଏକତ୍ର କରାଇଥିଲେ । ତେଣୁ ଏହିପରି ଭାବରେ ଦୁଇଗୋଟି ବୈବାହିକ ମାମଲାରେ ଦୁଇଗୋଟି ଦମ୍ପତିଙ୍କୁ ଏକତ୍ରିତ କରିବା ସହ ସେମାନେ ପାରସ୍ପରିକ ବୁଝାମଣାରେ ରହିବେ ବୋଲି ଅଦାଲତକୁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply