ବାସୁଦେବପୁର: ଚାନ୍ଦବାଲି ବ୍ଲକର କରଣପଲ୍ଲୀ ପଞ୍ଚାୟତର ନାଳୀ ଛକରେ ଅମୂଲ୍ୟ ମଣ୍ଡଳ ଓରଫ ବିକି ମଣ୍ଡଳଙ୍କ ପୁଅ ବାହାଘରର ଆଡମ୍ବରପୁର୍ଣ୍ଣ ଭୋଜି ଶେଷରେ କାଳ ହେଲା । ଆୟକର ବିଭାଗର ସ୍କାନର ପଡି ଦୁଇ ଦିନ ଧରି ବିକି ମଣ୍ଡଳଙ୍କ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଥିଲେ । ଦୁଇଟି ଟିମ୍ ଚଢାଉ କରୁଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ସୂଚନା ନଦେବା ସହିତ ଭିତରକୁ ଛାଡିବାକୁ ବାରଣ କରିଥିଲେ । ବିକି ମଣ୍ଡଳଙ୍କ ଘରେ ଖାଦ୍ୟପାନୀୟରେ ଆପାୟିତ ହେବା ତଦନ୍ତର ନିରପେକ୍ଷତାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ସନ୍ଦେହ ପ୍ରକାଶ କରିଛନ୍ତି । କରଣପଲ୍ଲୀ ପଞ୍ଚାୟତର ନାଳୀ ଛକରେ ଅମୂଲ୍ୟ ମଣ୍ଡଳ (ବିକି) ଜଣେ ବ୍ୟବସାୟୀ ଅଟନ୍ତି ।
ଗତ ଫେବୃଆରୀ ମାସ ଶେଷରେ ତାଙ୍କ ପୁଅର ବିବାହ ଭୋଜି ବିଳାସପୂର୍ଣ୍ଣ ଆଡମ୍ବରମୟ ହୋଇ ପଡିଥିଲା । ଯାହା ଦେଖିଲେ ଆଖି ଝଲସି ଉଠିବ । କୋଟି କୋଟି ଟଙ୍କାର ଆଡମ୍ବରପୂର୍ଣ୍ଣ ଏହି ଭୋଜିରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିବାର ଅଭିଯୋଗ ହୋଇଛି । ଆୟକର ବିଭାଗର ଅଧିକାରୀ ବିକି ମଣ୍ଡଳ ପଛରେ ପଡି ଯାଇଥିଲେ । ସମ୍ପୂର୍ଣ୍ଣ ଡାଟା ନେଇ ଆଗକୁ ବଢିଥିଲା ଆୟକର ବିଭାଗର ଅଧିକାରୀ । ବୁଧବାର ଦିନ ଆୟକର ବିଭାଗର ଅଧିକାରୀ ଚଢାଉ କରିଥିଲେ । ବୁଧବାର ଓ ଗୁରୁବାର ଚଢାଉ ସମୟରେ ତାଙ୍କ ଓ ତାଙ୍କ ଭାଇ ପୁଅ ସମ୍ପର୍କିୟଙ୍କ ନାମରେ ପେଟ୍ରୋଲ ପମ୍ପ,ଇଣ୍ଡିଆନ ଗ୍ୟାସ,ଏକାଧି ସୁନା ବୋଟ,ଚୁଙ୍ଗୁଡି ଘେରୀ,ଚୁଙ୍ଗୁଡି ଖାଦ୍ୟ ବ୍ୟବସାୟ,ହାର୍ଡେଓ୍ୱର ଦୋକାନ ସହିତ ଶହ ଶହ ଏକର ଜମି ଥିବାର ଆୟକର ବିଭାଗର ଅଧିକାରୀ ଜାଣିବାକୁ ପାଇଥିଲେ ।
ଏହାବ୍ୟତୀତ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବାର ଜାଣିବାକୁ ପାଇଥିଲେ । ବହୁ ବ୍ୟବସାୟରେ ତାଙ୍କର ଆୟକର ଅପଟୁଡେଟ୍ ଥିବା ବେଳେ ବହୁ କ୍ଷେତ୍ରରେ ତୃଟି ଅଛି ବୋଲି ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ । ତଦନ୍ତ ସମୟରେ ବିକି ମଣ୍ଡଳ ଗ୍ୟାସ ଅଫିସ କାର୍ଯ୍ୟାଳୟ ମଧ୍ୟକୁ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭିତରକୁ କିମ୍ବା ଆୟକର ଅଧିକାରୀଙ୍କ ସହିତ କଥା ହେବାକୁ ଛାଡିନଥିଲେ । ଗଣମାଧ୍ୟମକୁ ନଛାଡିବାର କାରଣ କଣ । ଆୟକର ବିଭାଗ ଓ ବିକି ମଣ୍ଡଳଙ୍କ ମଧ୍ୟରେ କିଛି ସଲାସୁତରା ହୋଇନାହିଁ ତ । ଯାହା ପଦାରେ ପଡିବାର ଭୟରେ ସାମ୍ବାଦିକମାନଙ୍କୁ ଦୂରେଇ ରଖିଥିଲେ । ଏପରିକି କର୍ମଚାରୀମାନେ ବିକି ମଣ୍ଡଳଙ୍କ ଗ୍ୟାସ ଅଫିସ କାର୍ଯ୍ୟାଳୟରେ ଖାଦ୍ୟପାନୀୟରେ ଆପାୟିତ ହୋଇଥିଲେ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗକରିଥିଲେ । ଆୟକର ବିଭାଗର କର୍ମଚାରୀଙ୍କ ତଦନ୍ତର ନିରପେକ୍ଷତାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ସନ୍ଦେହ ସୃଷ୍ଟି କରିଛନ୍ତି । ଆୟକର ବିଭାଗର ତଦନ୍ତ ବାଟବଣା ହୋଇଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଆୟକର ବିଭାଗର ଅଧିକାରୀ ଓ ଅମୂଲ୍ୟ ମଣ୍ଡଳଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା ।