ବାରିପଦା : ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ(ସିଆଇଟିୟୁ) ପକ୍ଷରୁ ସରକାରୀ କର୍ମଚାରୀ ମାନ୍ୟତା ଦାବୀରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ବିକ୍ଷୋଭ ସଂଗଠିତ କରାଯାଇଥିଲା । ନିକଟରେ ରାଜ୍ୟ ସରକାର ପାଚିକା ମାନଙ୍କ ଭତ୍ତା ମାସିକ ୨ହଜାର ଟଙ୍କା ଘୋଷଣାକୁ ପାଚିକାଙ୍କ ପ୍ରତି ଅନ୍ୟାୟ ବୋଲି କହିଥିଲେ । ଓଡିଶା ରାଜ୍ୟ ସରକାର ୨୦୧୮ ମସିହାରେ ମାସିକ ୨ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିନାହାନ୍ତି । ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ମାସିକ ୨୬ହଜାର ଟଙ୍କା ହିସାବରେ ୧୨ମାସର ଦରମା, ପୋଷାକ ଭତ୍ତା ଏକ ହଜାର ଟଙ୍କା, ସଫେଇ ଭତ୍ତା ମାସିକ ୨ଶହ ଟଙ୍କା, ପେନସନ, ବୀମା ସହିତ ଶ୍ରମ କୋଡ ଆଦି ଦାବୀକୁ ସରକାର ମାନିନେବା ପାଇଁ ବକ୍ତାମାନେ ଦାବୀ କରିଥିଲେ । ବାରିପଦା ରେଳଷ୍ଟେସନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ । ଆୟୋଜିତ ସଭାକୁ ସଂଘର ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସହ ସମ୍ପାଦିକା କ୍ଷୀରମଣୀ ମହାନ୍ତ, ମାଧୁରୀ ସିନ୍ଦୁ, ସନ୍ଧ୍ୟାରାଣୀ ବେହେରା, ମାଳତି ମହାନ୍ତ, କୁଞ୍ଜଲତା ମହାନ୍ତ, ଜ୍ୟୋସ୍ନାରାଣୀ ବେହେରା, ସୌଭାଗ୍ୟ ମହାନ୍ତ, ମେରିୟା ହାଁସଦାଃ, ବାସନ୍ତୀ ମହାନ୍ତ, ଜୟନ୍ତ ଦାସ ଆଦି ନେତୃତ୍ୱକାରୀ ପାଚିକାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁର ଜିଲ୍ଲା ସଭାପତି ରବି ଗୋସ୍ୱାମୀ, ସିପିଆଇ(ଏମ) ଜିଲ୍ଲା ନେତା ମୃତୁ୍ୟଞ୍ଜୟ ବେହେରା, ଓଡିଶା କ୍ଷେତ ମଜଦୂର ୟୁନିୟନର ରାଜ୍ୟ ସମ୍ପାଦକ ନିର୍ମଳ ନାୟକ, ରାଜ୍ୟ ସଭାପତି ବିବର୍ତ୍ତନ କବି ଇତ୍ୟାଦି ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ବକ୍ତବ୍ୟ ରଖିଥିଲେ ।