ଡିଭାଇନ୍ ଇଞ୍ଜିନିୟରିଂ ଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି
ବାରିପଦା : ଷ୍ଟେମ୍ ସେଲ୍ ସ୍ପେଶାଲିଷ୍ଟ ଡାକ୍ତର ଶିବାଷିଶ ଗିରି ସୋମବାର ଦିନ ବାରିପଦା ଗସ୍ତରେ ଆସିଥିବା ଅବସରରେ ଡିଭାଇନ୍ ଇନଷ୍ଟିଚୁ୍ୟଟ୍ ଅଫ ଇଞ୍ଜିନିୟରିଂ ଏବଂ ଡିଭାଇନ୍ ନର୍ସିଂ ଇନଷ୍ଟିଚୁ୍ୟଟ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହ ଭାବ ବିନିମୟ କରିଛନ୍ତି । ଜର୍ମାନର ଲେଇପିଜିଗ୍ ବିଶ୍ୱବିଦ୍ୟାଳୟରେ ଷ୍ଟେମ୍ ସେଲ୍ ବାୟଲୋଜି ଏବଂ ସେଲ୍ ଟେକନୋଲୋଜି ବିଭାଗର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିବା ଡାକ୍ତର ଶିବାଶିଷ ଗିରି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଗସ୍ତକରି ବିଦ୍ୟାର୍ଥୀଙ୍କୁ “ଆମ ଶରୀର ଆମ ଡାକ୍ତର’ ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି । ଆଜିର ବ୍ୟସ୍ତବହୁଳ ସମାଜରେ ଚାପମୁକ୍ତ ହୋଇ କିପରି ସୁସ୍ଥ ବାତାବରଣ ସୃଷ୍ଟି କରାଯିବ ସେନେଇ ଡାକ୍ତର ଗିରି ଛାତ୍ରଛାତ୍ରୀଙ୍କୁ ଦୀଗଦର୍ଶ ପ୍ରଦାନ କରିଥିଲେ । ସେ ବିଦେଶ ଭ୍ରମଣ କାଳରେ ଭେଟିଥିବା ବିଭିନ୍ନ ନବେଲ୍ ବିଜେତାଙ୍କ ସହ ଆଲୋଚନା କରି ପାଇଥିବା ଅନୁଭୂତି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ନିଜ ଶରୀରକୁ କିପରି ନିରୋଗ ରଖାଯାଇପାରିବ, ମନକୁ କିପରି ଏକାଗ୍ରତା କରାଯିବା ସହ ନୂଆ ନୂଆ ବିଷୟ ଉପରେ ଅନୁସନ୍ଧାନ କରିବା ପାଇଁ ପ୍ରେରଣା ଦେଇଥିଲେ । ଡାକ୍ତର ଶିବାଷିଶ ଗିରିଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା ଛାତ୍ରଛାତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା ବେଳେ ଅଧ୍ୟାପିକାମାନ ମଧ୍ୟ ଭୁୟସୀ ପ୍ରଶଂସା କରିଥିଲେ ।