ବାରିପଦା : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଓସୱାନ ହଲ ଠାରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ.ସୁଶ୍ରୀ ଏବଂ ଅନ୍ୟ ଅଧିକାରୀ ମାନଙ୍କ ସହ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । ଏହି ବୈଠକର ମୁଖ୍ୟତଃ ବାଙ୍ଗିରିପୋଷି ଘାଟି ରାସ୍ତାର ପ୍ରଶସ୍ତିକରଣ ଏବଂ ସୁରକ୍ଷା ବ୍ୟବସ୍ଥା, ଚାକିଡି ଗ୍ରାମ ପଞ୍ଚାୟତର ବିଦୁ୍ୟତିକରଣ, ବ୍ରାହ୍ମଣ ଗାଁ ପଞ୍ଚାୟତର ଟେଲିଫୋନ ଟାୱାର ତଥା ବାଙ୍ଗିରିପୋଷି ତାଳବନ୍ଧ- ଚହଲା ରାସ୍ତାକୁ ପର୍ଯ୍ୟଟକମାନଙ୍କୁ ଯିବା ଆସିବା ଯଥା ଚଳପ୍ରଚଳର ସୁବିଧା ଉପଲବ୍ଧ କରାଇବା ନିମିତ୍ତ ଉପଯୋଗୀ କରିବା ବିଷୟରେ ବିଶଦ ଆଲୋଚନା ହୋଇଥିଲା । ଜିଲ୍ଲାର ମୂଳ ଅଧିବାସୀ ସୀମାନଙ୍କର ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟଗୁଡିକରେ ଉପୁଜୁଥିବା ସମସ୍ୟାର ଆଶୁ ସମାଧାନ ଅଗ୍ରାଧିକାର ଭିଭିରେ କରିବା ସହମତି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟ ପ୍ରଣାଳୀ ସମସ୍ତଙ୍କୁ ତ୍ୱରାନ୍ୱିତ ଏବଂ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରାଇବାପାଇଁ ଜିଲ୍ଲାପାଳ ଶ୍ରୀ ଠାକ୍ରେ ସମସ୍ତ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେବା ସହିତ ନିଜ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି କରାଇବା ପାଇଁ ଏହି ବୈଠକରେ ମତପ୍ରକାଶ କରିଥିଲେ । ଏହି ସମସ୍ତ କାର୍ଯ୍ୟରେ ପୋଲିସ ପ୍ରଶାସନ ସହଭାଗୀତାରେ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସୂଚନା ଦେଇଥିଲେ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଠାକରେ ସୋରିଷପାଳ ଗ୍ରାମ ରାସ୍ତାର ପ୍ରଶସ୍ତିକରଣ ଏବଂ ବାଲିଡିହା ଜଳସେଚନ ପ୍ରକଳ୍ପର ଅଗ୍ରଗତି ତଥା ସମ୍ପୂର୍ଣ୍ଣତା ବିଷୟରେ ସୂଚନା ଦେଇଥିଲେ । ପ୍ରକାଶ ଥାଉକି, ଏହି ବୈଠକରେ ଜଙ୍ଗଲ ଓ ଜାତୀୟ ରାଜପଥ ବିଭାଗର ଉଚ୍ଚପଦସ୍ଥ ପଦାଧିକାରୀ, ଜିଲ୍ଲାରେ କାର୍ଯ୍ୟରତ ବିଏସଏନଏଲର ସାଧାରଣ ପ୍ରବନ୍ଧକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ବିଭାଗୀୟ କାର୍ଯ୍ୟ ବିଷୟରେ ମତପୋଷଣ କରିଥିଲେ । ସୂଚନା ଥାଉକି, ରାଜ୍ୟ ରାଜଧାନୀ ଠାରେ, ମୟୂରଭଞ୍ଜରେ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ କାର୍ଯ୍ୟ ଏବଂ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମାର୍ଣ୍ଡି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।